BREAKING
Loading...
:

ଓଡ଼ିଶା ପାଇଁ ଆଇଏମଡିର ଚିନ୍ତାଜନକ ପୂର୍ବାନୁମାନ, ଜୁନ ମାସରେ ଦେଖାଯାଇପାରେ ପ୍ରଚଣ୍ଡ ଖରାର ପ୍ରକୋପ...

 *ଓଡ଼ିଶା ପାଇଁ ଆଇଏମଡିର ଚିନ୍ତାଜନକ ପୂର୍ବାନୁମାନ, ଜୁନ ମାସରେ ଦେଖାଯାଇପାରେ ପ୍ରଚଣ୍ଡ ଖରାର ପ୍ରକୋପ.....*


IMD DG: ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ ବାୟୁ। କିନ୍ତୁ ଏହା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ନିରାଶଜନକ ପୂର୍ବାନୁମାନ କରାଯାଇଛି। ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ସାରା ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଓଡ଼ିଶାରେ ମଧ୍ୟ ଆଶାନୁରୂପକ ବର୍ଷା ହେବ ନାହିଁ ବୋଲି ଆଇଏମଡି ଆକଳନ କରିଛି।କୃଷି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ଆମ ରାଜ୍ୟ ଓଡ଼ିଶାର ଚାଷୀକୂଳ ପାଇଁ ଏହି ପାଣିପାଗ ସୂଚନା ବେଶ୍ ଚିନ୍ତାଜନକ ହୋଇପାରେ।


ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଏଥର ମୌସୁମୀ ସମୟରେ ଦେଶରେ ହାରାହାରି ମାତ୍ର ୯୦ ପ୍ରତିଶତ ବର୍ଷା ହେବ। ବିଶେଷ କରି ଜୁନ ମାସରେ ମୌସୁମୀ ବର୍ଷାର ପରିମାଣ ଯଥେଷ୍ଟ କମ୍ ରହିବ। ଓଡ଼ିଶା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ ଏବଂ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


*ଜୁନ୍ ମାସରେ ଜଳିବ ଓଡ଼ିଶା, ବଢ଼ିବ ଗ୍ରୀଷ୍ମ ପ୍ରବାହ*


ଅନ୍ୟପଟେ କେବଳ କମ୍ ବର୍ଷା ନୁହେଁ, ଜୁନ ମାସରେ ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହିବା ନେଇ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ସାରା ଦେଶରେ ଅଧିକ ଗରମ ଅନୁଭୂତ ହେବା ସହ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହିବ। ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି ସ୍ୱାଭାବିକ ଅପେକ୍ଷା ଅଧିକ ସମୟ ଯାଏଁ ରହିବାକୁ ଥିବାରୁ ଏଭଳି ପରିସ୍ଥିତିରେ ଖରା ଏବଂ ଗୁଳୁଗୁଳିରୁ ଲୋକଙ୍କୁ ସହଜରେ ଆଶ୍ୱସ୍ତି ମିଳିବାର ସମ୍ଭାବନା ବହୁତ କମ୍। ତେଣୁ ଚାଷ କାର୍ଯ୍ୟ ସହିତ ସାଧାରଣ ଜୀବନଯାତ୍ରା ମଧ୍ୟ ଏହାଦ୍ୱାରା ବହୁଳ ଭାବେ ପ୍ରଭାବିତ ହେବ।


*ଦେଶର ସ୍ଥିତି ଚିନ୍ତାଜନକ*


ସେହିପରି ଦେଶର ମଧ୍ୟ ଭାଗରେ ସ୍ୱାଭାବିକଠାରୁ ୯୪ ପ୍ରତିଶତ କମ୍ ବର୍ଷା ହେବାର ଆଶଙ୍କା ରହିଛି। ଓଡ଼ିଶାରେ ମଧ୍ୟ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିବ ଏବଂ ରାଜ୍ୟରେ ସ୍ୱାଭାବିକଠାରୁ ବହୁତ କମ୍ ବର୍ଷା ରେକର୍ଡ କରାଯିବ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଏଲ୍‌-ନିନୋ ସ୍ଥିତିରେ କ୍ରମାଗତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ତେବେ ଏକ ଆଶ୍ୱସ୍ତିକର ଖବର ହେଉଛି, ଗତ ମେ’ ୧୬ ତାରିଖରେ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁ ସାରିଛି।


*୩ ରାଜ୍ୟକୁ ହିଟ୍‌ୱେଭ୍ ସତର୍କତା*


କମ୍ ବର୍ଷା ପୂର୍ବାନୁମାନ ମଧ୍ୟରେ ଆଇଏମଡି ପକ୍ଷରୁ ସାଧାରଣ ଜନତାଙ୍କୁ ଗରମରୁ ରକ୍ଷା ପାଇବା ପାଇଁ ସତର୍କ କରିଦିଆଯାଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଆଗାମୀ ଦିନରେ ପ୍ରକୋପ ବଢ଼ିବାକୁ ଥିବାରୁ ଏହି ତିନୋଟି ରାଜ୍ୟ ପାଇଁ ‘ହିଟ୍‌ୱେଭ୍’ (ଗ୍ରୀଷ୍ମ ପ୍ରବାହ) ସତର୍କତା ଜାରି କରାଯାଇଛି। ତେଣୁ ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ଦିନ ପର୍ଯ୍ୟନ୍ତ ପ୍ରବଳ ଖରା ଓ ଗୁଳୁଗୁଳି ଲାଗିରହିବାର ଆଶଙ୍କା ରହିଛି, ଯାହା ଚାଷ କାର୍ଯ୍ୟ ସହିତ ସାଧାରଣ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିପାରେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS