ସରକାରୀ କଲେଜ ଭଳି ହୋଇପାରିବନି ଘରୋଇ ମେଡିକାଲ କଲେଜ ଫି': ସୁପ୍ରିମକୋର୍ଟ
ଘରୋଇ ମେଡିକାଲ କଲେଜଗୁଡ଼ିକୁ ସରକାରୀ କଲେଜ ଭଳି ଫି' ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ବେସରକାରୀ କଲେଜ ସରକାରୀ କଲେଜ ଭଳି ହୋଇପାରିବ ନାହିଁ । ସୁପ୍ରିମକୋର୍ଟ ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ତତ୍ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍)ର ଆୟ ସୀମା ଏବଂ ଘରୋଇ ମେଡିକାଲ କଲେଜରେ ଫି' ଢାଞ୍ଚାକୁ ଚ୍ୟାଲେଞ୍ଜ କରି ଆଗତ ଏକ ପିଟିସନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ପିଟିସନରେ ଇଡବ୍ଲ୍ୟୁଏସ୍ ବର୍ଗ ପାଇଁ ବାର୍ଷିକ ୮ ଲକ୍ଷ ଟଙ୍କା ଆୟ ସୀମା ରଖାଯିବା ଏବଂ ଘରୋଇ ମେଡିକାଲ କଲେଜରେ ବିପୁଳ ଫି' ଭରିବାକୁ ନେଇ ପ୍ରଶ୍ନ ଉଠାଯାଇଥିଲା । ଇଡବ୍ଲ୍ୟୁଏସ୍ କୋଟାରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେଉଥିବା ଅନେକ ଛାତ୍ରଛାତ୍ରୀ ଏମ୍ବିବିଏସ୍ କୋର୍ସ ଖର୍ଚ୍ଚ ଉଠାଇ ପାରୁନାହାନ୍ତି, କାରଣ ଏହାର ବାର୍ଷିକ ଫି' ପ୍ରାୟ ୧୯ ଲକ୍ଷରୁ ୨୫ ଲକ୍ଷ ଟଙ୍କା ରହୁଥିବା ପିଟିସନରେ କୁହାଯାଇଥିଲା ।
ଏତେ ଫି' ହେବା ଯୋଗୁ ସଂରକ୍ଷଣ ପାଇଁ ଯୋଗ୍ୟ ହୋଇଥିଲେ ବି ଅନେକ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀ ମେଡିକାଲ ପାଠ ପଢ଼ିପାରୁ ନାହାନ୍ତି । ଏହା ଉପରେ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଥିଲେ, ବେସରକାରୀ ଏବଂ ସରକାରୀ ଶିକ୍ଷାନୁଷ୍ଠାନର ଆର୍ଥିକ ମଡେଲ ଭିନ୍ନ । ତେଣୁ ସେମାନଙ୍କ ଉପରେ ଏକା ଭଳି ଫି' ଷ୍ଟ୍ରକଚର ଲାଗୁ ହୋଇପାରିବ ନାହିଁ । ସରକାରୀ କଲେଜଗୁଡ଼ିକ ସରକାରଙ୍କଠାରୁ ଅନୁଦାନ ପାଇଥାନ୍ତି । କିନ୍ତୁ ଘରୋଇ କଲେଜ ତାହା ପାଇ ନ ଥାନ୍ତି । ସେମାନେ ନିଜ ବ୍ୟବସ୍ଥା ନିଜେ କରିଥାନ୍ତି । ଖଣ୍ଡପୀଠ ଆହୁରି କହିଛନ୍ତି, ବେସରକାରୀ ମେଡିକାଲ କଲେଜଗୁଡ଼ିକର ଫି' ସରକାରୀ କଲେଜ ଭଳି କରାଗଲେ ଚିକିତ୍ସା କ୍ଷେତ୍ରରେ ସେମାନଙ୍କ ଯୋଗଦାନ ହ୍ରାସ ପାଇବ । ଯେଉଁ ଛାତ୍ରଛାତ୍ରୀ ବେସରକାରୀ ମେଡିକାଲ କଲେଜର ଫି' ଦେବାକୁ ଅସମର୍ଥ ସେମାନେ ବୃତ୍ତି, ସବ୍ଭେନସନ (ଆର୍ଥିକ ସହାୟତା) କିମ୍ବା ଅନ୍ୟାନ୍ୟ ସହଯୋଗର ବିକଳ୍ପ ଖୋଜି ପାରିବେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment