*କମିବ କାଳବୈଶାଖୀ ପ୍ରଭାବ, ବଢିବ ତାତି.....*
ଭୁବନେଶ୍ବର, - : କମିବ କାଳବୈଶାଖୀ ପ୍ରଭାବ । ୧୨ ରୁ ବଢ଼ିବ ଗରମ ଗୁଳୁଗୁଳି । ୧୨ରୁ ୧୪ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତ ହେବ । କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ପୂର୍ବ ଦିଗରୁ ପବନ ବହୁଥିବା ବେଳେ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଛି ।ବାୟୁମଣ୍ଡଳ ଉପରି ଭାଗରେ ମଧ୍ଯ ଶୁଖିଲା ପବନ ବହୁଛି । ଯାହା ଫଳରେ କାଳବୈଶାଖୀ ପ୍ରଭାବ ରହୁଛି ।
ଆଜି ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରକୋପ ରହିବ। ଭଦ୍ରକ,ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଝଡ଼ବର୍ଷାକୁ ନେଇ ଏଲୋ ଓ୍ବାଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିମି ରହିବ । ଏହା ସମେତ ଉପକୂଳ,ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ୨୦ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ଏଲୋ ଓ୍ବାର୍ଣିଂ ଜାରି କରାଯାଇଛି ।ଏହା ପରେ କମିବ ବର୍ଷା । ଫେରିବ ଗରମ ଗୁଳୁଗୁଳି । କିଛିଦିନ ଧରି କାଳବୈଶାଖୀ ପାଇଁ ତାତିରୁ ବଡ଼ ଆଶ୍ଵସ୍ତି ମିଳିଥିଲା । ହେଲେ ଏବେ ପୁଣି ଉପରମୁହାଁ ହେବ ପାରଦ। ଶନିବାର ଠୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ। ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଘାଣ୍ଟି ହେବ। ଏଭଳି ପୂର୍ବାନୁମାନ ଦେଖାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ। ଅନୁମାନ କରାଯାଉଛି, ୩ ଦିନ ପରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ। ୧୦ ତାରିଖରେ ଉପକୂଳ ଓଡ଼ିଶାର ଭୁବନେଶ୍ଵରରେ ପାରଦ ୩୮ ଡିଗ୍ରୀ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ। ୧୧ ତାରିଖରେ ଝାରସୁଗୁଡ଼ା ୪୧ ଡିଗ୍ରୀ ଛୁଇଁଯିବ। ଅନ୍ୟପଟେ ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଛଟପଟ ହେବ। ସମସ୍ତ ଉପକୂଳ ଜିଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ଅନୁଭୂତ ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ପାଇଁ ଏଥିଲାଗି ୟେଲୋ ଓ୍ବାଣ୍ଣିଂ ଜାରି କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment