BREAKING
Loading...
:

ସମ୍ବଲପୁରର ଗର୍ବ 'ସରସତିଆ'କୁ ମିଳିବ ଜିଆଇ ଟ୍ୟାଗ୍: ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି

 ସମ୍ବଲପୁରର ଗର୍ବ 'ସରସତିଆ'କୁ ମିଳିବ ଜିଆଇ ଟ୍ୟାଗ୍: ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି 



ସମ୍ବଲପୁର,


ସମ୍ବଲପୁରୀ ବସ୍ତ୍ର, ଭାଷା ଓ ସଂସ୍କୃତି ପରେ ଏବେ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇବାକୁ ଯାଉଛି ସମ୍ବଲପୁରର ପାରମ୍ପରିକ ମିଠା 'ସରସତିଆ'। ଏହି ସ୍ୱାଦିଷ୍ଟ ତଥା ସ୍ୱତନ୍ତ୍ର ତିନିକୋଣିଆ ମିଠାକୁ ଭୌଗଳିକ ମାନ୍ୟତା ବା ଜିଆଇ (GI Tag) ପ୍ରଦାନ କରିବା ପାଇଁ ପ୍ରଶାସନିକ ଉଦ୍ୟମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସୂଚନା ଅନୁଯାୟୀ, ସରସତିଆର ଐତିହାସିକ ପୃଷ୍ଠଭୂମି, ପ୍ରସ୍ତୁତି ଶୈଳୀ ଏବଂ ସ୍ୱାସ୍ଥ୍ୟଗତ ଗୁଣବତ୍ତାକୁ ନେଇ ଆବେଦନ କରାଯାଇଥିଲା। ଏହା ଉପରେ କେନ୍ଦ୍ର ସରକାର କିଛି ଅଧିକ ତଥ୍ୟ ଲୋଡ଼ିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଞ୍ଜେଲପଡ଼ାସ୍ଥିତ ପ୍ରସିଦ୍ଧ ସରସତିଆ କାରିଗର ପ୍ରଭୁଲାଲ ଗୁପ୍ତା (ମିଞ୍ଜୁ)ଙ୍କ ଠାରୁ ଆବଶ୍ୟକୀୟ କାଗଜପତ୍ର ଓ ଐତିହାସିକ ପ୍ରମାଣ ସଂଗ୍ରହ କରାଯାଇଛି। ଖୁବଶୀଘ୍ର ଏହି ତଥ୍ୟ ପୁନର୍ବାର ଦାଖଲ କରାଯିବ। ୨୦୦ ବର୍ଷର ପରମ୍ପରା ଓ ସ୍ୱତନ୍ତ୍ରତା ସରସତିଆ କୌଣସି ସାଧାରଣ ମିଠା ନୁହେଁ। ଏହାର ସ୍ୱତନ୍ତ୍ରତା ହେଉଛି ଏଥିରେ କ୍ଷୀର, ଛେନା କିମ୍ବା କୌଣସି ଫ୍ୟାଟ୍ ଜାତୀୟ ଦ୍ରବ୍ୟ ବ୍ୟବହାର କରାଯାଏ ନାହିଁ। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହୋଇଥାଏ। 'ଗଞ୍ଜେର୍' ନାମକ ଏକ ଜଙ୍ଗଲୀ ଗଛର କାଠିରୁ ବାହାରୁଥିବା ଅଠା ହେଉଛି ଏହାର ମୁଖ୍ୟ ଉପାଦାନ। ଏହି ଗଞ୍ଜେର୍ କାଠିକୁ ପାଣିରେ ବତୁରାଇ ସେଥିରୁ ବାହାରୁଥିବା ଅଠାକୁ ଚାଉଳ ଚୂନା ଓ ସାମାନ୍ୟ ଚିନି ସହ ମିଶ୍ରଣ କରି ଏହି ମିଠା ପ୍ରସ୍ତୁତ କରାଯାଏ। ସୂଚନାଯୋଗ୍ୟ ଯେ ପ୍ରଥମ କରି ସରସ୍ୱତୀ ପୂଜା ଦିନ ଏହି ମିଠା ତିଆରି ହୋଇଥିବାରୁ ଏହାର ନାମ 'ସରସତିଆ' ରଖାଯାଇଛି। ପ୍ରାୟ ଦୁଇଶହ ବର୍ଷରୁ ଅଧିକ ସମୟ ଧରି ସମ୍ବଲପୁର ସହରର ଏହି ସ୍ୱତନ୍ତ୍ର ଖାଦ୍ୟ ନିଜର ସ୍ୱାଦ ବଜାୟ ରଖିଛି। ପ୍ରାକୃତିକ ଉପାଦାନରେ ତିଆରି ହେଉଥିବାରୁ ଏହା ବହୁଦିନ ପର୍ଯ୍ୟନ୍ତ ସତେଜ ରହିଥାଏ। ଜିଆଇ ଟ୍ୟାଗ୍ ମିଳିବା ପରେ ସମ୍ବଲପୁରର ଏହି ପାରମ୍ପରିକ କଳା ଓ କାରିଗରୀକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ମିଳିବ ବୋଲି ଆଶା କରାଯାଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS