BREAKING
Loading...
:

୪୫ ବର୍ଷ ପରେ ରତ୍ନଭଣ୍ଡାରର ଗୁମର ଖୋଲିଲେ ସରକାର, ଜାଣନ୍ତୁ ଭିତର ଓ ବାହାର ଭଣ୍ଡାରରେ କ'ଣ କ'ଣ ରହିଛି ?

 ୪୫ ବର୍ଷ ପରେ ରତ୍ନଭଣ୍ଡାରର ଗୁମର ଖୋଲିଲେ ସରକାର, ଜାଣନ୍ତୁ ଭିତର ଓ ବାହାର ଭଣ୍ଡାରରେ କ'ଣ କ'ଣ ରହିଛି ?



ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପାଖାପାଖି ଦେଢ଼ କ୍ୱିଣ୍ଟାଲ (୧୪୯ କେଜି ୪୬୦ ଗ୍ରାମ) ସୁନା ଓ ୧୮୪ କେଜି ରୂପା ଅଳଙ୍କାର ରହିଛି । ୨୦୨୩ ଜୁଲାଇରେ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହି ହିସାବ ଦର୍ଶାଯାଇଛି । ସତ୍ୟପାଠରେ କୁହାଯାଇଥିଲା ଯେ ଭିତର, ବାହାର ଓ ଚଳନ୍ତି ରତ୍ନଭଣ୍ଡାରରେ ଠାକୁରଙ୍କ ସବୁ ମୂଲ୍ୟବାନ ଅଳଙ୍କାର ଠିକ୍‌ ରହିଛି ।


୪୫ ବର୍ଷ ତଳେ ୧୯୭୮ ମସିହାରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ ଠାକୁରଙ୍କ ଅଳଙ୍କାର ହିସାବ ନିଆଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି, ତିନୋଟି କକ୍ଷରେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରଖାଯାଇଛି । ଭିତର ରତ୍ନଭଣ୍ଡାର (କାଟାଗୋରୀ-୧) । ବାହାର ରତ୍ନଭଣ୍ଡାର (କାଟାଗୋରୀ-୨) ଏବଂ ତୃତୀୟ କାଟାଗୋରୀରେ ଥିବା ରତ୍ନଭଣ୍ଡାର ହେଉଛି ଚଳନ୍ତି ଭଣ୍ଡାର । ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାର କେବେ ବି ମହାପ୍ରଭୁଙ୍କ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଏ ନାହିଁ । ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣି ପାଇଁ ବ୍ୟବହାର କରାଯାଇଥାଏ ।




 ଚଳନ୍ତି ରତ୍ନଭଣ୍ଡାରରେ ରହୁଥିବା ଅଳଙ୍କାର ଭଗବାନଙ୍କ ନିତ୍ୟ ବ୍ୟବହାର ପାଇଁ ରଖାଯାଇଥାଏ । ଏହି ତିନୋଟି କାଟାଗୋରୀରେ ପ୍ରାୟ ଦେଢ କୁଇଣ୍ଟାଲର ସୁନା ଅଳଙ୍କାର ରହିଛି । ୧୮୩ କେଜି ୯୮୦ ଗ୍ରାମ୍ର ରୁପା ଅଳଙ୍କାର ରହିଛି । ଏଥିରେ ଗୋଟେ ଭରିକୁ ୧୧.୬୬ ଗ୍ରାମ୍ ଭାବରେ ହିସାବ କରାଯାଇଛି । ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ୍ର ସୁନା ଅଳଙ୍କାର ଥିଲାବେଳେ ୧୩୪ କେଜି ୫୦ ଗ୍ରାମ୍ର ରୁପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ ଗ୍ରାମ୍ର ସୁନା ଥିଲାବେଳେ ୧୯ କେଜି ୪୮୦ ଗ୍ରାମ୍ର ରୁପା ଅଳଙ୍କାର ରହିଛି । ସେହିପରି ଚଳନ୍ତି ରତ୍ନଭଣ୍ଡାରରେ ୩ କେଜି ୪୮୦ ଗ୍ରାମ୍ର ସୁନା ଏବଂ ୩୦ କେଜି ୩୫୦ ଗ୍ରାମ୍ର ରୁପା ଅଳଙ୍କାର ରହିଥିବା ପ୍ରଶାସନ ପକ୍ଷରୁ କରାଯାଇଥିବା ଆକଳନରୁ ଜଣାପଡ଼ିଛି । ରତ୍ନଭଣ୍ଡାରରେ ସୁନାରେ ଗଢ଼ା ଅଳଙ୍କାର ଓ ଦ୍ରବ୍ୟର ଓଜନ ପ୍ରାୟ ୧୨ ହଜାର ୮୩୮ ଭରି ହେବ ବୋଲି ୧୯୭୮ ଗଣତିମଣତି ରିପୋର୍ଟରୁ ଜଣାପଡ଼େ । କେବଳ ଚଳନ୍ତି ଭଣ୍ଡାରରେ ରହିଛି ୨୯୯ ଭରିର ୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର । ସେହିପରି ୨୩ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୨୬୦୩ ଭରି । ଦୈନଦିନ ବ୍ୟବହାରରେ ଏହି ରତ୍ନଅଳଙ୍କାର ବ୍ୟବହାରରେ ଆସିଥାଏ । ସେହିପରି ବାହାର ଭଣ୍ଡାରରେ ୭୯ଟି ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୮୧୭୫ ଭରି । ଏହି ଭଣ୍ଡାରରେ ୩୯ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୪୬୭୧ ଭରି । ଏହି ଅଳଙ୍କାରଗୁଡ଼ିକ କେବଳ ଉତ୍ସବ ଦିନମାନଙ୍କରେ ମହାପ୍ରଭୁଙ୍କ ବ୍ୟବହାରରେ ଲାଗିଥାଏ । ଭିତର ଭଣ୍ଡାରରେ ମହାପ୍ରଭୁଙ୍କ ବ୍ୟବହାରରେ ଆସୁନଥିବା ରତ୍ନଅଳଙ୍କାର ରହିଛି । ଯାହା ମଧ୍ୟରେ ୧୦ ପ୍ରକାରର ୩୬୭ଟି ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୪୩୬୪ ଭରି । ଏହି ଭଣ୍ଡାରରେ ୩ ପ୍ରକାରର ୨୩୧ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୧୪୮୭୮ ଭରି । ଅର୍ଥାତ୍ ଏହି ୩ ପର୍ଯ୍ୟାୟଭୁକ୍ତ ରତ୍ନଭଣ୍ଡାରରେ ୪୫୪ଟି ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୧୨ ହଜାର ୮୩୮ ଭରି । ସେହିପରି ୨୯୩ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୨୨୧୫୩ ଭରି ।


ଶ୍ରୀମନ୍ଦିର ରତ୍ନଭଣ୍ଡାର ତାଲିକା (୧୯୭୮ ମେ' ରୁ ଜୁଲାଇ ମାସ ମଧ୍ୟରେ ପ୍ରସ୍ତୁତ) ସୂଚୀରୁ ଏହା ଜଣାପଡ଼ିଛି । ଶ୍ରୀମନ୍ଦିର ପରିଚାଳନା କମିଟି ୧୯୭୮ରେ ମୁଦ୍ରଣ କରିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି । ଶେଷଥର ଲାଗି ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ତିନିଟି ଯାକ ଭଣ୍ଡାର (ଭିତର, ବାହାର ଏବଂ ଚଳନ୍ତି ଭଣ୍ଡାର)ରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଏକ ପୂର୍ଣାଙ୍ଗ ତାଲିକା ପ୍ରସ୍ତୁତ ହୋଇଥିଲା । ଉକ୍ତ ତାଲିକା ଅନୁସାରେ, ମୋଟ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସୁନା ଜିନିଷ ଥିଲା । ଏହାର ମୋଟ ଓଜନ ୧୨,୮୩୮ ଭରି ଅଟେ । ମୋଟ ୪୫୪ଟି ସାମଗ୍ରୀ ମଧ୍ୟରୁ ୮ଟି ସୁନା ସାମଗ୍ରୀ ଓଜନ ହୋଇନଥିବାରୁ ଉପରୋକ୍ତ ଓଜନ ମଧ୍ୟରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇନାହିଁ । ସେହିପରି ଆକଳନ ଅନୁସାରେ, ମୋଟ ୨୯୩ଟି ରୁପା ପୂଜା ଉପକରଣ ଓ ବାସନ ଇତ୍ୟାଦି ଗଚ୍ଛିତ ଥିଲା । ଏହାର ମୋଟ ଓଜନ ୨୨, ୧୫୩ ଭରି ଅଟେ । ଏଥିରୁ ୬ଟି ରୁପା ସାମଗ୍ରୀ ଓଜନ ହୋଇପାରି ନଥିବାରୁ ଉପରୋକ୍ତ ରୁପା ଓଜନରେ ଅନ୍ତର୍ଭୁକ୍ତ ହୋଇନାହିଁ । ୧୯୭୮ ମସିହାରେ ରତ୍ନଭଣ୍ଡାରର ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି ।


ସେହିପରି ବିଶେଷାଙ୍କରେ ଆହୁରି ଉଲ୍ଲେଖ କରାଯାଇଥିଲା ଯେ ୧୯୮୨ ଏବଂ ୧୯୮୫ରେ ଖୋଲିଥିଲା ଭିତର ରତ୍ନଭଣ୍ଡାର । ଶ୍ରୀମନ୍ଦିର ପ୍ରଶାସନର ଉପଲବ୍ଧ ରେକର୍ଡ ଅନୁସାରେ, ଶେଷଥର ଲାଗି ୧୯୮୫ ଜୁଲାଇ ୧୪ରେ ଭିତର ଭଣ୍ଡାର ଖୋଲାଯାଇ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ଲାଗି ହେବା ପାଇଁ ଏକ ଚିତା ବାହାରକୁ ଅଣାଯାଇଥିଲା । ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନିର୍ଦ୍ଧାରଣ ଅନୁସାରେ, କଳାହାଟ ଦ୍ୱାର ରୁପା ଛାଉଣି ସକାଶେ ୧୯୮୨ ଡିସେମ୍ବର ୨୬ରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଆବଶ୍ୟକ ରୁପା ସାମଗ୍ରୀ ବାହାର କରାଯାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS