BREAKING
Loading...
:

ଟିମନପୁର ପଞ୍ଚାୟତରେ ଉନ୍ନୟନ କାମ ଠପ: ଶିକ୍ଷକଙ୍କୁ ଠିକା କାମ ଦେବାକୁ ନେଇ ଆନ୍ଦୋଳନ

 ଟିମନପୁର ପଞ୍ଚାୟତରେ ଉନ୍ନୟନ କାମ ଠପ: ଶିକ୍ଷକଙ୍କୁ ଠିକା କାମ ଦେବାକୁ ନେଇ ଆନ୍ଦୋଳନ



ଟିମନପୁର ପଞ୍ଚାୟତରେ ଦୀର୍ଘଦିନ ଧରି ଜଣେ ଶିକ୍ଷକ ଅମିତକୁମାର ଯୋଶୀଙ୍କୁ କାହା ସ୍ୱାର୍ଥରେ ଠିକା କାମରେ ନିଯୁକ୍ତ କରାଯାଇଥିବା ଏବଂ ୨୦୨୨ ମସିହାରୁ ପଞ୍ଚାୟତର ପାଖାପାଖି ସମସ୍ତ ଉନ୍ନୟନ ପ୍ରକଳ୍ପ ଠପ ହୋଇପଡିଥିବାକୁ ନେଇ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି।

ଏହାର ପ୍ରତିବାଦରେ ପଦ୍ମନାଭ ଜଗତଙ୍କ ନେତୃତ୍ୱରେ ସୁବାଷ ମେହେର, ଦିଗାମ୍ବର ତାଣ୍ଡି, ଧର୍ମେନ୍ଦ୍ର ପଣ୍ଡା, ମୋହନ ଜଗତ, ଟୁଟୁ ତାଣ୍ଡି, ନାରାୟଣ ନାଗ, ଶ୍ୟାମଲାଲ ତାଣ୍ଡି, ଟଙ୍କଧର ବିଶି ସମେତ ଟିମନପୁର ଗ୍ରାମବାସୀମାନେ ସିନାପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ ଆନ୍ଦୋଳନ କରି ଦାବିପତ୍ର ପ୍ରଦାନ କରିଥିଲେ।

ଗ୍ରାମବାସୀମାନଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ଉନ୍ନୟନମୂଳକ କାମ ବନ୍ଦ ରହିଥିବାରୁ ଅଞ୍ଚଳରେ ଅସନ୍ତୋଷ ବଢ଼ିଚାଲିଛି। ପ୍ରଶାସନଙ୍କ ଦୃଷ୍ଟିଆକର୍ଷଣ ପାଇଁ ସେମାନେ ଏହି ଆନ୍ଦୋଳନରେ ସମ୍ମିଳିତ ହୋଇଥିଲେ।

ଦାବିପତ୍ରରେ ସେମାନେ ୫ଟି ମୁଖ୍ୟ ଦାବି ଉଠାଇଥିଲେ—

୧) ଜାଣିଶୁଣି ଜଣେ ଶିକ୍ଷକଙ୍କୁ ଠିକାଦାର କରିଥିବା ବିଡିଓଙ୍କୁ ନିଲମ୍ବନ କରାଯାଉ।

୨) ନିଜ ସ୍ୱାର୍ଥ ପାଇଁ କ୍ଷମତାର ଦୁରୁପଯୋଗ କରୁଥିବା ସିନାପାଲି ବିଡିଓଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ।

୩) ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ପିଇଓଙ୍କୁ ସୋ କଜ୍ ନୋଟିସ ଜାରି କରାଯାଉ।

୪) ଶିକ୍ଷକଙ୍କୁ ଦାୟିତ୍ୱ ଦେଇ କରାଯାଇଥିବା ସମସ୍ତ ଉନ୍ନୟନ କାମକୁ ଗ୍ରାମ ସଭାରେ ବିଚାର କରି ପୁନଃ ସମ୍ପାଦନ କରାଯାଉ।

୫) କାର୍ଯ୍ୟରେ ଅବହେଳା କରୁଥିବା ଜେଇଙ୍କୁ ଅନ୍ୟତ୍ର ବଦଳି କରି ନୂତନ ଜେଇଙ୍କୁ ଦାୟିତ୍ୱ ଦିଆଯାଉ।

ଆନ୍ଦୋଳନ ସମୟରେ ଗ୍ରାମବାସୀମାନେ ଶୀଘ୍ର ଉନ୍ନୟନ କାମ ପୁନରାରମ୍ଭ କରିବାକୁ ଦାବି କରିଥିଲେ। ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବାକୁ ସେମାନେ ସଚେତନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS