*ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା: ବିଧାନସଭାରେ ନିଜେ ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ*
ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା । ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା । ଏନେଇ ବିଧାନସଭାରୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା । ଏନେଇ ବିଧାନସଭାରୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ,ରାଜ୍ୟରେ ନୂଆ ସରକାର ଆସିବା ପରେ ବିଭିନ୍ନ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା କ୍ୱାର୍ଟର୍ସଗୁଡ଼ିକର ମରାମତି ଏବଂ ନବୀକରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଇଛି ଏବଂ ସମସ୍ତ ମନ୍ତ୍ରୀମାନଙ୍କର ଅଲଗା ଅଲଗା ଖର୍ଚ୍ଚ ତାଲିକା ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ ।
ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ତଥ୍ୟ ରଖିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୋଟିଏ ସରକାରୀ ଆବାସର ମରାମତି ପାଇଁ ୫୦ ଲକ୍ଷ ୧୦ ହଜାର ୮୭୧ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଆଉ ଏକ ସରକାରୀ ବାସଭବନ ପାଇଁ ୨୩ ଲକ୍ଷ ୪୭ ହଜାର ୪୮୭ ଟଙ୍କା ଖର୍ଚ୍ଚ ହୋଇଛି ।
ଅନ୍ୟପଟେ ଅନ୍ୟମନ୍ତ୍ରୀମାନଙ୍କର ସରକାରୀ ଘର ମରାମତି ଖର୍ଚ୍ଚ ଦେଖିବାକୁ ଗଲେ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘର ମରାମତି ପାଇଁ ୧୮ ଲକ୍ଷ ୯୦ ହଜାର, କେଭି ସିଂହଦେଓଙ୍କର ଘର ମରାମତି ପାଇଁ ୨୮ ଲକ୍ଷ ୨୧ ହଜାର, ସମ୍ପଦ ସ୍ୱାଇଁଙ୍କ ଘର ମରାମତି ପାଇଁ ୧୯ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ତା ସହିତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସରକାରୀ ଆବାସ ମରାମତି ପାଇଁ ଖର୍ଚ୍ଚ ହୋଇଛି ୧୦ ଲକ୍ଷ ୫୯ ହଜାର । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସରକାରୀ ଆବାସ ମରାମତି ପାଇଁ ଖର୍ଚ୍ଚ ହୋଇଛି ୭ ଲକ୍ଷ ୭୨ ହଜାର । କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପାଇଁ ୧୭ ଲକ୍ଷ ୯୮ ହଜାର, ପୃଥ୍ୱୀରାଜ ହରିଚନ୍ଦନଙ୍କ ସରକାରୀ ଆବାସ ପାଇଁ ୨୦ ଲକ୍ଷ ୯୩ ହଜାର, ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଆବାସ ମରାମତି ପାଇଁ ୨୫ ଲକ୍ଷ ୭୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।
ଖାଲି ସେତିକି ନୁହେଁ, ମନ୍ତ୍ରୀ ରବି ନାଏକଙ୍କ ସରକାରୀ ଆବାସ ପାଇଁ ୧୮ ଲକ୍ଷ ୯୦ ହଜାର, ସୁରେଶ ପୂଜାରୀଙ୍କ ଆବାସ ପାଇଁ ୧୮ ଲକ୍ଷ ୧୭ ହଜାର, ସୂର୍ୟ୍ୟବଂଶୀ ସୁରଜଙ୍କ ପାଇଁ ୨୫ ଲକ୍ଷ ୭୨ ହଜାର, ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ଆବାସ ପାଇଁ ୫ ଲକ୍ଷ ୧୧ ହଜାର, କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ଘର ପାଇଁ ୧୪ ଲକ୍ଷ ୮୩ ହଜାର, ମୁକେଶ ମହାଲିଙ୍ଗଙ୍କ ଆବାସ ପାଇଁ ୧୮ ଲକ୍ଷ ୮୪ ହଜାର ଏବଂ ପ୍ରଦୀପ ବଳ ସାମନ୍ତଙ୍କ ସରକାରୀ ଆବାସ ମରାମତି ପାଇଁ ୧୪ ଲକ୍ଷ ୬୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment