ସରୀସୃପଙ୍କ ଆଶ୍ରୟସ୍ଥଳ ପାଲଟିଛି ବିଦ୍ୟାଳୟ ପରିସର
ଖଣ୍ଡପଡ଼ା ୨୧|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରର ମଧ୍ଯଭାଗରେ ଅବସ୍ଥିତ ଟାଉନ ମଡେଲ ପ୍ରାଥମିକ ବିଦ୍ୟାଳୟଟି ୧୯୧୨ ମସିହାରେ ଗଢ଼ି ଉଠିଥିଲା।ଇତିମଧ୍ୟରେ ୧୧୩ ବର୍ଷ ଅତିକ୍ରମ କରିଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନଟି ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଥିବା ଜଣାପଡିଛି। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷାଦାନ କରି ଆସୁଥିବା ଏହି ଶିକ୍ଷାନୁଷ୍ଠାନରେ ଏବେ ୧୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଥିବା ଜଣାପଡିଛି।ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ଅଭାବରୁ ବିଭିନ୍ନ ସମୟରେ ପିଲାମାନେ ପାଠ ପଢ଼ିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭଙ୍ଗା,ଦଦରା ଆଜବେଷ୍ଟସ ଛପର ଘରେ ପିଲାମାନେ ବସି ପାଠ ପଢୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସମୟାନୁକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଶ୍ରେଣୀଗୃହର କାନ୍ଥରେ ଫାଟ ସୃଷ୍ଟି ହୋଇଛି Iବର୍ଷାଦିନେ ଆଜବେଷ୍ଟସ ଛପର ଘରୁ ପାଣି ଗଳୁଥିବା ବେଳେ ଗୋଟିଏ ଶ୍ରେଣୀଗୃହକୁ ବିପଦଶଙ୍କୁଳ ଦର୍ଶାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଶ୍ରେଣୀଗୃହରେ ତାଲା ଝୁଲାଇ ଦେଇଥିବା ନଜରକୁ ଆସୁଛି।ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ସମସ୍ୟା ସଂର୍ପକରେ ବ୍ଲକ ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବାରେ ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଦ୍ୟାଳୟ ପରିସରରେ ୨ ଟି ନୂତନ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଅନୁଦାନ ଅର୍ଥ ମଞ୍ଜୁର ହୋଇଥିଲା।ମାତ୍ର ୨ ବର୍ଷ ପରେ ବି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ଯ ଆଗେଇ ପାରୁନଥିବା ବେଳେ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ପ୍ରସ୍ତାବିତ ସ୍ଥାନ ଅନାବନା ଗଛଲତାରେ ଭର୍ତ୍ତି ହୋଇ ବିଷଧର ସରୀସୃପଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଥିବା ଜଣାପଡିଛି।ଏଥିପ୍ରତି ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ, ବ୍ଲକ ପ୍ରଶାସନ, ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ ଦୃଷ୍ଟି ଦେଇ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق