ଅଂଶୁଘାତଜନିତ ମୃତ୍ୟୁର ହାରକୁ “ଶୂନରେ” ସୀମିତ ରଖିବା ବାଙ୍କୀ ପ୍ରଶାସନର ମୂଳଲକ୍ଷ୍ୟ
ବାଙ୍କୀ,୧୬/୩(ମାନସ ରଞ୍ଜନ ସାହୁ):ବାଙ୍କୀ ଉପଖଣ୍ତ ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ କାଳିନ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଗୁରୁବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ପ୍ରଣବ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଉପଖଣ୍ତର ସମସ୍ତ ବିଡିଓ ଏବଂ ପାନୀୟ ଜଳଯୋଗାଣ ବିଭାଗ ଜଳ ସମସ୍ୟା ଦୂର ନିମନ୍ତେ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଜଳାଭାବ ଅଞ୍ଚଳ ଗୁଡିକରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ସହ ଏନ.ଏ.ସି ମଧ୍ୟରେ ପାନୀୟ ଜଳ ପାଇପ ଦ୍ୱାରା ଯୋଗାଇବା ଓ ଅଚଳ ନଳକୂପ ଗୁଡିକର ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ଦିଗରେ ପଦକ୍ଷେପ ନେବାକୁ ଵିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଉପଖଣ୍ତ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସ୍ୱତନ୍ତ୍ର ଶିତତାପ ନିୟନ୍ତ୍ରିତ କକ୍ଷ ପ୍ରସ୍ତୁତ କରିବା, ଆଵଶ୍ୟକ ପରିମାଣର ଓ.ଆର.ଏସ ଓ ଔଷଧ ମହଜୁଦ ରଖିବା ସହିତ ଅଂଶୁଘାତ କଣ୍ଟ୍ରୋଲ ରୁମ ଖୋଲିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।ଯାତ୍ରୀବାହୀ ବସ ଗୁଡିକରେ ପାନୀୟଜଳ, ଓ.ଆର.ଏସ ଓ ପ୍ରାଥମିକ ଚିକିତ୍ସା ସହାୟତା ବାକ୍ସ ସୁବିଧା ରଖିବା,ବୁଲା ପଶୁ ମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ନିମନ୍ତେ ଜଳ ବ୍ୟବସ୍ଥା କରିବା, ଗ୍ରାମାଞ୍ଚଳ, ଏନ.ଏ.ସି ଅଞ୍ଚଳ ମଧ୍ୟରେ ଜଳଛତ୍ର ଖୋଲିବା ,ସମସ୍ତ ବିଭାଗରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ଆଲୋଚନା କରାଯାଇଥିଲା। ଅଂଶୁଘାତରେ ମୃତ୍ୟୁ ବରଣ କଲେ ତୁରନ୍ତ ତହସିଲଦାରଙ୍କ ନିକଟରେ ଜଣାଇବା,ଏହାକୁ ତହସିଲଦାର ଓ ଉପଖଣ୍ଡ ଚିକିତ୍ସା ଅଧିକାରୀ ତଦନ୍ତ କରି ରିପୋର୍ଟ ପ୍ରଦାନ ନିମନ୍ତେ ଉପଜିଲ୍ଲାପାଳ ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ବାଙ୍କୀ ବ୍ଲକ୍ ବିଡିଓ ଆଗ୍ନିଜା ଶିବା ଦତ୍ତା, ବାଙ୍କୀ ଡମପଡ଼ା ବିଡିଓ ଅଂଶୁମାନ ଦାସ,ତହସିଲଦାର ବାଙ୍କୀ ଅଶେଷ କୁମାର ନାୟକ, , ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡଃ ଆଲୋକ କୁମାର ପଟ୍ଟନାୟକ , ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଫୁଲ୍ଲ କୁମାର ବିଶ୍ବାଳ, ସହକାରୀ ଜିଲ୍ଲାପାଳ ପ୍ରିୟଙ୍କା ଜୁଝାରସିଂଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق