ନିଆରା ପରଂପରା ,ବୃକ୍ଷ ରେ ରାକ୍ଷୀ ବାନ୍ଧିଲେ ଗ୍ରାମବାସୀ
ଦଶପଲ୍ଲା : - ( ମଣିଭଦ୍ରା ଖବର) ଇତ୍ୟାବସରରେ ସାରା ଓଡିଶାରେ ସର୍ବତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦଉତ୍ସାହର ସହ ପାଳିତ ହୋଇଛି । ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି ନିଆରା ପରମ୍ପରା ସହ ବାନ୍ଧି ହୋଇ ଯାଇଛନ୍ତି । ଗଛ ମାନବ ସମାଜ ପାଇଁ ସବୁଠାରୁ ଦରକାରୀ ହୋଇଥିବାରୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ରକ୍ଷାବନ୍ଧନ ତିଥିରେ ଗଛରେ ରାକ୍ଷୀ ବାନ୍ଧି ଥାନ୍ତି । ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମରେ ୧୯୮୮ ମସିହା ଠାରୁ ଏଭଳି ପରମ୍ପରା ଚାଲି ଆସିଛି । ଅପରାହ୍ନରେ ପ୍ରଥମେ ଗ୍ରାମର ବୟସ୍କ ବ୍ୟକ୍ତି ମାନେ ନୂଆ ଲୁଗା ପିନ୍ଧି ଗଛରେ ରାକ୍ଷୀ ବାନ୍ଧି ସାରିବା ପରେ ଗହ୍ମାଡିଆଁ ପର୍ବ ପାଳନ କରିଥାନ୍ତି । ମା ମଣୀନାଗ ଆଂଚଳିକ ଯୁବ ସଂସଦର ସଭାପତି ନିକୁଞ୍ଜ କିଶୋର ପ୍ରଧାନ, ସଂପାଦକ ରାଜେଶ୍ କୁମାର ଜାନି,କୋଷାଧ୍ୟକ୍ଷ ଶୁଭକାନ୍ତ ଜାନି କଂ ଓ ସାମ୍ବାଦିକ ରତ୍ନାକର ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ମଦନ କୁମାର ଜାନୀ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ଯ ପ୍ରଶାନ୍ତ ଦଳବେହେରା, ପ୍ରଶାନ୍ତ ସାହୁ, ବନବିଭାଗ କର୍ମଚାରୀ ରସାନନ୍ଦ ମାଝି , ଯୋଗ ଦେଇ ବୃକ୍ଷ ମାନବ ସମାଜ ପାଇଁ କେତେ ଦରକାରୀ ସେ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ବୃକ୍ଷବିନା ମାନବ ସମାଜ ର ସ୍ଥିତି ନାହିଁ ବୋଲି ସମସ୍ତ ଦୃଢ଼ କଣ୍ଠରେ ସ୍ବୀକାର କରିବା ସହିତ ବୃକ୍ଷ ଓ ବନ୍ୟଜନ୍ତୁ କଂ ସୁରକ୍ଷା ପାଇଁ ସମସ୍ତେ ବ୍ରତି ହେବାପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ । ଗ୍ରାମର ବରିଷ୍ଠ ନାଗରିକ ନିତ୍ୟାନନ୍ଦ ପ୍ରଧାନ, ପରମାନନ୍ଦ ମଳିକ,ପ୍ରମୋଦ କୁମାର ଜାନୀ ଙ୍କ ସମେତ ଗ୍ରାମବାସୀ ଏକତ୍ର ହୋଇ ବଟବୃକ୍ଷରେ ରକ୍ଷାବନ୍ଧନ କରିବା ସହିତ,ଏହି ଉତ୍ସବକୁ ମହା ସମାରୋହରେ ପାଳନ କରିଥିଲେ ଓ ସମସ୍ତଙ୍କ ଶୁଭ ମନାସିଥିଲେ ।ଏହା ପରେ ପରେ ପାରଂପାରିକ ରିତିରେ ଛୋଟ ଛୋଟ ପିଲାମାନେ ଗହ୍ମାପର୍ବ ପାଳନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଲାଲୁଭାଇ ଓ ଶୁଭକାନ୍ତ ସଂଯୋଜନା କରିଥିଲେ ।
ମଣିଭଦ୍ରା ଖବର, ଦଶପଲ୍ଲା


إرسال تعليق