ଏଚ୍.ଆଇ.ଭି / ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ
“ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”
ବ୍ରହ୍ମପୁର :
ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏଚ୍.ଆଇ.ଭି / ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଯୁବ ବର୍ଗଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ଦେଇ ଏହି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହାକି ଅଗଷ୍ଟ ୧୨ ରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜାରି ରହିବ। ଏହା ମାଧ୍ୟମରେ ତୃଣମୂଳ ସ୍ତରରେ ଏଚ୍.ଆଇ.ଭି ସମ୍ପର୍କିତ ସଚେତନତାକୁ ଆହୁରି ବ୍ୟାପକ କରାଯିବ। ଏହା ଦ୍ଵାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା ସହ ଯୁବବର୍ଗଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ସ୍ଵପ୍ନ ନିଶ୍ଚିତ ଭାବେ ପୂରଣ ହେବାରେ ସହାୟକ ହେବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି ।
ସେହିପରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଦିନଠୁ ସମସ୍ତେ ସଂକଳ୍ପ ନେବା ସହ ରୋଗକୁ ଦୂରେଇ ଦେବା ମାତ୍ର ରୋଗୀଙ୍କୁ ନୁହେଁ ବୋଲି ଅନୁରୋଧ କରିଛନ୍ତି । ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଘୃଣା ଦୃଷ୍ଟିରେ ନଦେଖି ସେମାନଙ୍କୁ ବଞ୍ଚିବାର ବିଶ୍ବାସ ଓ ଭରଷା ଦେଇ ଉତ୍ସାହିତ କରିବାକୁ ଉପସ୍ଥିତଙ୍କୁ ଅନୁରୋଧ ପୂର୍ବକ ଜଣାଇଛନ୍ତି । ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରାଇବା ପାଇଁ ସେ ସମସ୍ତ ଯୁବବନ୍ଧୁଙ୍କୁ ଆହ୍ଵାନ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଶୋଇ, ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଜିଲ୍ଲାପାଳ ୱି କୀର୍ତ୍ତି ୱାସନ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଏମ୍.କେ.ସି.ଜି ମେଡିକାଲ୍ କଲେଜର ଅଧ୍ୟକ୍ଷ, ଓସାକ୍ସ (OSACS)ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق