ତଦନ୍ତ ସରିବ କେବେ ?
"ତଦନ୍ତ କରାଯିବ,ତଦନ୍ତ କଲେ ଜଣାଯିବ,ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ" ଏସବୁ ସରକାରୀ ଶବ୍ଦ ଭାବରେ ମାନ୍ୟତା ପାଇଛି।କୈ।ଣସି ତଦନ୍ତ କେବେ ସରିଲା ଭଳି ଜଣାଯାଉନି।ଯଦି ସରିଲା, ରିପୋର୍ଟ କୁ ସାର୍ବଜନିନ କରାଗଲା ନାହିଁ। ସରକାର ଜାଣିଛନ୍ତି ଯେ ଆମ ରାଜ୍ୟବାସୀ ବହୁତ ସରଳ ।କିଛିଦିନ ପରେ ଭୁଲିଯିବେ।ସେଥିପାଇ୍ଁ ସମୟ ଗଡେଇ ଚାଲିଲେ ସବୁ ସମାଧାନ ହେଇଯିବ।ନୂଆ ସରକାର ଆସିଲା ପରେ ଶହଶହ ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାମାନ ଘଟି ତଦନ୍ତରେ ଅଟକିଛି।ବିଦେଶରେ ମଧ୍ୟ ରାଜ୍ୟରେ ଘଟୁଥିବା ଅପରାଧର ଆଲୋଚନା ହେଲାଣି।ଆମେ କିନ୍ତୁ ତଦନ୍ତରେ ଅଟକିଛୁ।ନିକଟ ଅତୀତରେ ଏକାଧିକ ସମ୍ବେଦନଶୀଳ ଘଟଣା ମାନ ଘଟିଯାଇଛି।ବାଲେଶ୍ୱର ଏଫ ଏମ ଛାତ୍ରୀ ଘଟଣା,ବଳଙ୍ଗା ଘଟଣା,ପୁରୀ ରଥଯାତ୍ରା ଦଳାଚକଟା ଘଟଣା ଆଦି ଏଭଳି ଅନେକ ଘଟଣାରେ ଏବେ ତଦନ୍ତ ଚାଲିଛି।ଅବଶ୍ୟ ପୁରୀ ରଥଯାତ୍ରା ଘଟଣାରେ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇ ସାରିଲାଣି।କିନ୍ତୁ ସରକାର ଏହାକୁ ଚପେଇ ରଖିଛନ୍ତି।ତେବେ ସେ ଯାହା ବି ହେଉ,କିଛିମାସ ମଧ୍ୟରେ ଘଟିଥିବା ଘଟଣା ଗୁଡିକ ମଧ୍ୟରେ ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ଏକ ଅତି ସମ୍ବେଦନଶୀଳ ଘଟଣା ଭାବରେ ବିବେଚନା କରାଯାଇଛି।କ୍ରାଇମ ବ୍ରାଞ୍ଚ ତଦନ୍ତ ଚାଲିଛି।ଆଇ ଜି ଏସ୍ ସାଇନୀ ଙ୍କ ତତ୍ତ୍ଵାବଧାନରେ ଜଣେ ଡିଏସପି ତଦନ୍ତ କରୁଥିଲାବେଳେ କିଛିଦିନ ପୂର୍ବରୁ ହଠାତ ଆଇଜି ସାଇନୀଙ୍କୁ ତଦନ୍ତରୁ ହଟାଯାଇ କ୍ରାଇମବ୍ରାଞ୍ଚ ଏସ୍ ପି ଅନିରୁଦ୍ଧ ରାଉତରାୟଙ୍କୁ ଦାୟୀତ୍ୱ ଦିଆଯାଇଛି।ଏ ଘଟଣାରେ ୪ଜଣଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି।ଘଟଣାର ପୃଷ୍ଠଭୂମିକୁ ଯଦି ଯିବା,ମୃତା ଛାତ୍ରୀ ଜଣଙ୍କ ନ୍ୟାୟ ପାଇବାପାଇଁ କଲେଜ ଅଧ୍ୟକ୍ଷ,ପୋଲିସ ଅଧୀକ୍ଷକ,ପୋଲିସ ଆଇଜି,ପୋଲିସ ଡିଜି,ସ୍ଥାନୀୟ ବିଧାୟକ,ସ୍ଥାନୀୟ ସାଂସଦ,ଶିକ୍ଷାମନ୍ତ୍ରୀ,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭଳି ମୂଖ୍ୟ ପଦବୀରେ ଥିବା ବ୍ୟକ୍ତିମାନଙ୍କୁ ଓ କିଛି ଆଗଧାଡିରେ ଥିବା ଗଣମାଧ୍ୟମକୁ ଗୁହାରୀ କରିଥିଲେ।କିନ୍ତୁ କେହି ଜଣେ ହେଲେ ଛାତ୍ରୀଟିକୁ ସାହା ହେଲେନି।ଛାତ୍ରୀ ଜଣଙ୍କର ମୃତ୍ୟୁପରେ ସମସ୍ତେ ଯେଉଁଭଳି ତତ୍ପରତା ଦେଖେଇଲେ,ସେଥିରୁ ଯଦି ୧୦ପ୍ରତିଶତ ତତ୍ପରତା ଛାତ୍ରୀଟି ବଞ୍ଚି ଥିଲାବେଳେ ଦେଖେଇଥାନ୍ତେ,ତାହେଲେ ହୁଏତ ଆଜି ଛାତ୍ରୀଟି ବଞ୍ଚିଥାନ୍ତା।ଛାତ୍ରୀଟିର ମୃତ୍ୟୁପରେ ସେହି ଆଗଧାଡିର ଗଣମାଧ୍ୟମ ମାନେ ଆଗରେ ପଛରେ ବୁମ୍ ଧରି ରାତି ଅନିଦ୍ରା ହୋଇ ଖବର ସଂଗ୍ରହ କରିଲେ।ସେହିଭଳି ଟିକିଏ ତତ୍ପରତା ପୂର୍ବରୁ ଦେଖେଇଥିଲେ ଛାତ୍ରୀଟି ଆଜି ବଞ୍ଚିଥାନ୍ତା।ଘଟଣା ପରେ କେନ୍ଦ୍ର ଶିକ୍ଷାମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ନିଜକୁ ଏକ ପ୍ରକାରର ଦୋଷୀ ବୋଲି ଅନୁଭବ କରି ଘଟଣାରେ ନିଜକୁ ଏକ ପକ୍ଷ ବୋଲି କହିଥିଲେ।କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ହୋଇ ନିଜକୁ ଏକ ପକ୍ଷ ବୋଲି କହୁଥିବା ବେଳେ,ବାଲେଶ୍ୱର ସାଂସଦ ଓ ବାଲେଶ୍ୱର ବିଧାୟକ ଏଥିରୁ ମୁହଁ ପୋଛିଦେଲା ଭଳି ଆଚରଣ କରିଲେ।କେନ୍ଦ୍ର ମନ୍ତ୍ରୀ ହେଲେ ମଧ୍ୟ ଯେହେତୁ ଧର୍ମେନ୍ଦ୍ର ବାବୁ ଶିକ୍ଷା ବିଭାଗର ମନ୍ତ୍ରୀ ,ସେ ନିଜକୁ ଯଦି ଘଟଣାରେ ଏକ ପକ୍ଷ ବୋଲି ଭାବୁଛନ୍ତି,ତେବେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ବାଲେଶ୍ୱର ବିଧାୟକ ମାନସ ଦତ୍ତ କାହିଁକି ପକ୍ଷଭୁକ୍ତ ହେବେନି ?କ୍ରାଇମ୍ ବ୍ରାଞ୍ଚ ଏମାନଙ୍କୁ କାହିଁକି ପଚରା ଉଚୁରା କରୁନି ?ବାଲେଶ୍ୱର ଏସ୍ ପିଙ୍କୁ ତଦନ୍ତ ପରିସରକୁ କାହିଁକି ନେଉନି କ୍ରାଇମ୍ ବ୍ରାଞ୍ଚ,ସେସବୁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।ଯେଉଁ ଦିନ ଆଇଜି ସାଇନୀଙ୍କୁ ତଦନ୍ତରୁ ହଟାଗଲା,ସେହିଦିନରୁ ତଦନ୍ତର ସ୍ବଛତା ଉପରେ ସାଧାରଣରେ ପ୍ରଶ୍ନବାଚୀ ଉଠିଥିବା ଜଣାଯାଉଛି।ତଦନ୍ତର ସ୍ଥିତି ବର୍ତ୍ତମାନ କଣ ଜଣାପଡୁ ନାହିଁ।ଗିରଫ ସଂଖ୍ୟା ସେହି ୪ରେ ସିମୀତ ରହିଛି।ଏହିଭଳି ସମୟ ଗଡେଇ ଚାଲିଲେ ଆପେ ଆପେ ଲୋକ ଭୁଲିଯିବେ।ଏହାହିଁ ବୋଧହୁଏ ସରକାରଙ୍କ ଯୋଜନା ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment