ଘରୋଇ ଫାଇନାନ୍ସ ସଂସ୍ଥାର ଜୁଲମକୁ ନେଇ ଜନଅସନ୍ତୋଷ
ଖଣ୍ଡପଡ଼ା ୩୧|୮l୨୦୨୫:ଖଣ୍ଡପଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଏକାଧିକ ଘରୋଇ ଫାଇନାନ୍ସ ସଂସ୍ଥା ସେମାନଙ୍କର କାର୍ଯ୍ୟାଳୟ ଖୋଲି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ ଜନସାଧାରଣଙ୍କୁ ଋଣ ପ୍ରଦାନ କରୁଛନ୍ତି । ଗତ ୫ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ଘରୋଇ ଫାଇନାନ୍ସ ସଂସ୍ଥା ଗୁଡ଼ିକ କାର୍ଯ୍ଯାଳୟ ଖୋଲି ସେମାନଙ୍କର କାୟା ବିସ୍ତାର କରିବାରେ ଲାଗି ପଡିଛନ୍ତି। ଏବେ ଟଙ୍କା ଋଣ ପାଇଁ ଘରୋଇ ଫାଇନାନ୍ସ ସଂସ୍ଥା ଉପରେ ଜନସାଧାରଣ ନିର୍ଭର କରୁଥିବା ବେଳେ ଏହାର ସୁଯୋଗ ନେଇ ସଂସ୍ଥାର କର୍ମଚାରୀମାନେ ଋଣ ହିତାଧିକାରୀଙ୍କ ଠାରୁ ସୁଧ, ମୂଳ ସହ ଅଧିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଫଳରେ ଶୋଷଣର ଶିକାର ହେଉଥିବା ରଣ ହିତାକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ରାଜ୍ୟ ସରକାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗୁଡିକୁ ସ୍ବାବଲମ୍ବୀ କରିବା ପାଇଁ ମିଶନଶକ୍ତି, ଜୀବିକା ମିଶନ ପରି ବିଭିନ୍ନ ଲୋକହିତକର ଯୋଜନାରେ ଅର୍ଥ ଯୋଗାଇ ଦେବାରେ ବ୍ୟବସ୍ଥା କରିଛନ୍ତି।। ପୁନଶ୍ଚ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗୁଡିକୁ ବିନା ସୁଧରେ ଜାତୀୟକରଣ ବ୍ୟାଙ୍କ ଶାଖା ଗୁଡ଼ିକରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ପାଇଁ ରାଜ୍ଯ ସରକାର ଆନୁସଙ୍ଗିକ ବ୍ୟବସ୍ଥା କରିଛନ୍ତି। ଏତେ ସବୁ ବ୍ୟବସ୍ଥା ଥିବା ସତ୍ତ୍ବେ ମହିଳା ଓ ସାଧାରଣ ଲୋକେ ଘରୋଇ ଫାଇନାନ୍ସ ସଂସ୍ଥାର ଦ୍ବାରସ୍ଥ ହୋଇ ହନ୍ତସନ୍ତ ହେଉଥିବା ଜଣାପଡିଛି। ସଂସ୍ଥା ରଣ ଦେବା ପରେ କିସ୍ତି ଅନୁଯାୟୀ ମାସକୁ ମାସ ଟଙ୍କା ଆଦାୟ କରିଥାଏ। ଯେଉଁ ମହିଳା ଗୋଷ୍ଠୀ ସଠିକ ସମୟରେ ଋଣ ଟଙ୍କା ନତୁବା ସୁଧ ବାବଦକୁ ଟଙ୍କା ପୈଠ ନକରନ୍ତି ସେମାନଙ୍କ ଉପରେ ସଂସ୍ଥାର କର୍ମଚାରୀମାନେ ଜୁଲୁମ କରୁଥିବା ଅଭିଯୋଗ ହେଉଛି।ବାର୍ଷିକ ୧୬ ପ୍ରତିଶତ ହାରରେ ସୁଧ ଆଦାୟ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶନାମା ଜାରି କରିଥିଲେ ହେଁ ସଂସ୍ଥା ଗୁଡ଼ିକ ହିତାଧିକାରୀଙ୍କ ଠାରୁ ବାର୍ଷିକ ୩୦ରୁ ୩୫ ପ୍ରତିଶତ ହାରରେ ସୁଧ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ସଂସ୍ଥା ଗୁଡ଼ିକର ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ସ୍ଥାନୀୟ ପୁଲିସ ଓ ଜିଲା ପ୍ରଶାସନ ଅବଗତ ଥିଲେ ମଧ୍ଯ ଏଥିପ୍ରତି କେହିହେଲେ ଦୃଷ୍ଟି ଦେଉନାହାନ୍ତି।ତେବେ ଘରୋଇ ଫାଇନାନ୍ସ ସଂସ୍ଥାର କାର୍ଯ୍ୟକଳାପ ପ୍ରତି ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳର ସଚେତନ ନାଗରିକମାନେ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment