କଣ୍ଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀଙ୍କୁ ମିଳୁନି ଔଷଧ,ଗୃହରେ ପଡିରହି ନଷ୍ଟ ହେଉଛି। ତଦନ୍ତ ଦାବି
ଖଣ୍ଡପଡ଼ା ୯|୮ (ନି.ପ୍ର) ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କଣ୍ଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ଯ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିରାମୟ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଆନୁସଙ୍ଗିକ ଔଷଧ,ସାଲାଇନ ଓ ମୂଲ୍ଯବାନ ଇଞ୍ଜେକସନ ଯୋଗାଇ ଦିଆଯାଉଥିଲେ ହେଁ ସବୁକିଛି ସାମଗ୍ରୀ ରୋଗୀଙ୍କୁ ଦିଆ ନଯାଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରସ୍ଥିତ ଏକ ପୁରାତନ ଗୃହରେ ପଡିରହି ନଷ୍ଟ ହେଉଥିବା ଜଣାପଡିଛି।ଔଷଧ ବଣ୍ଟନ ଦାୟୀତ୍ବରେ ଥିବା କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସାଧାରଣରେ ନିରାମୟ ଯୋଜନାର ସଫଳ ରୁପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କାହା ସ୍ବାର୍ଥରେ ସରକାର ଏହି ଲୋକହିତକର ଯୋଜନା ପ୍ରଣୟନ କରିଛନ୍ତି ବୋଲି ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାସ ମାସ ଧରି ସାଧାରଣ ରୋଗୀଙ୍କୁ ଔଷଧ,ଇଞ୍ଜେକସନ,ସାଲାଇନ ଆଦି ଦିଆନଯାଇ ଏକ ଗୃହ ମଧ୍ଯରେ ପଡି ସେଗୁଡିକ ନଷ୍ଟ ହେଉଥିବାରୁ କଣ୍ଟିଲୋ ଅଞ୍ଚଳର ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି।ଗତ ୨ଦିନ ତଳେ ଜିଲା ପରିଷଦ ସଦସ୍ୟା ତଥା ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷା ଉଜ୍ଜଳ ମହାରଣା ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ପରିଦର୍ଶନରେ ଯାଇଥିବା ବେଳେ ଏଭଳି ଘଟଣା ନଜରକୁ ଆସିଥିଲା। ଘଟଣା ସମ୍ପର୍କରେ ଜିଲା ପରିଷଦ ସଦସ୍ୟା ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହି ଘଟଣାର ତଦନ୍ତ ସହ କାର୍ଯ୍ଯାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି।ଅପରପକ୍ଷେ ଏହି ଘଟଣାକୁ ଚପାଇ ଦେବା ପାଇଁ କଣ୍ଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପୁରାଦମରେ ଲାଗି ପଡିଥିବା ଜଣାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ପୁରାତନ ଗୃହରେ ପଡି ରହି ନଷ୍ଟ ହେଉଥିବା ଔଷଧ,ଇଞ୍ଜେକ୍ସନ ଓ ବିଭିନ୍ନ ସାମଗ୍ରୀ ଗୁଡିକୁ ସେଠାରୁ ହଟାଇଦେବା ନିମନ୍ତେ ମସୁଧା ଚାଲିଥିବା ବିଶେଷ ସୁତ୍ରରୁ ଜଣାପଡିଛି। ଆରୋଗ୍ୟ କେନ୍ଦ୍ରରେ ଲକ୍ଷ ଲକ୍ଷ ଟଙ୍କାର ଏକ୍ସପାଏରୀ ଔଷଧ ଓ ଇଞ୍ଜେକ୍ସନ ଏବେବି ପଡ଼ି ରହିଥିବା ଜଣାପଡିଛି।ଜରୁରିକାଳୀନ ପରିସ୍ଥିତିରେ ରୋଗୀଙ୍କ ସଂର୍ପକୀୟମାନେ ଅଯଥାରେ ଖର୍ଚ୍ଚାନ୍ତ ହୋଇ ବାହାର ଦୋକାନରୁ ଓୌଷଧ କିଣୁଥିବା ବେଳେ ଔଷଧ ବଣ୍ଟନ ଦାୟୀତ୍ବରେ ଥିବା କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ରୋଗୀ ଓ ତାଙ୍କ ସଂର୍ପକୀୟମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏଭଳି ଅବ୍ୟବସ୍ଥା ସଂପର୍କରେ ତଦନ୍ତ ନିମନ୍ତେ ଜିଲା ପରିଷଦ ସଦସ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳଘର ଶୂନ ବୋଲି ଜଣାପଡିଛି।ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ତେବେ ଉପରୋକ୍ତ ଘଟଣା ସଂପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଅମିତାଂଶୁ ମିଶ୍ରଙ୍କୁ ପଚାରିବାରେ ସେ ଏ ସଂପର୍କରେ କିଛି ଜାଣିନଥିବା କହି କଥାକୁ ଏଡାଇ ଯାଇଛନ୍ତି।ତେବେ ଏତେ ସଂଖ୍ୟକ ଏକ୍ସପାୟରୀ ଔଷଧ କାହିଁକି ରୋଗୀଙ୍କୁ ଦିଆ ନ ଯାଇ ପରିତ୍ୟକ୍ତ ଗୃହରେ ପକାଯାଇଛି ବୋଲି ପଚାରିଲେ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି।ପ୍ରଶ୍ନ ଉଠୁଛି ବିପୁଳ ପରିମାଣର ସରକାରୀ ଔଷଧ କିଏ ଫୋପାଡିଛି ଓ ଏକ୍ସପାଏରୀ ପୂର୍ବରୁ ଔଷଧ, ଇଞ୍ଜେକସନ ଓ ସାଲାଇନ ସବୁ କିଛି କାହିଁକି ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରାଗଲା ନାହିଁ , ସେ ସଂର୍ପକରେ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି।ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ଘଟଣାର ଖୋଳତାଡ କରିବା ସହ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଣ୍ଟିଲୋ,ବାଣପୁର, ସିଧାମୂଳା ସମେତ ଆଖପାଖ ପଞ୍ଚାୟତବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق