ଲୋକସଭା ଅଧିବେଶନ ଚାଲିଥିବାରୁ ବନ୍ଦ ହେଲା ପଞ୍ଚାୟତ ସମିତି ବୈଠକ
ଗଣିଆ (ମଣିଭଦ୍ରା ଖବର) ଗଣିଆ ପଞ୍ଚାୟତ ସମିତି ତରଫରୁ ବୁଧବାର ଦିବା ୧୧ ଘଟିକା ସମୟରେ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ହେବା ପାଇଁ ସ୍ଥିରୀକୃତ ହୋଇଥିଲା । ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୯୫୫ ତଥା ୫/୮/୨୫ ରିଖରେ ଚିଠି କରାଯାଇଥିଲା । ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ କଥା ଆଲୋଚନା କରାଯିବା ପାଇଁ କାର୍ଯ୍ୟସୂଚୀ ସ୍ଥିରିକୃତ ହୋଇଥିଲା । ପୂର୍ବ ବୈଠକର ବିବରଣୀ ପଠନ ଏବଂ ଦୃଢ଼ୀକରଣ,କୃଷି, ପାନୀୟ ଜଳ, ଶିକ୍ଷା ସହିତ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ଓ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ ୨୦୨୫-୨୬ ବର୍ଷର ବ୍ଳକ ପଞ୍ଚାୟତ ବିକାଶ ଯୋଜନାର ଅନୁମୋଦନ ହେବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା । ତେବେ ମଙ୍ଗଳବାର ଅଚାନକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ ପତ୍ର ସଂଖ୍ୟା ୧୭୨୮ ଜରିଆରେ ଅଷ୍ଟମ ସାଧାରଣ ଅଧିବେଶନକୁ ସ୍ଥଗିତ ରଖାଗଲା ବୋଲି ଜଣାପଡିଛି । ଏ ନେଇ ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ, ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ ତଥା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଲୋକସଭା ଚାଲିଥିବା ବେଳେ ସମିତି ବୈଠକ ହୋଇପାରିବ ନାହିଁ ତେବେ କିଭଳି ଚିଠି କରାଯାଇଥିଲା । ଚିଠି ୫ ଅଗଷ୍ଟରେ ହୋଇଥିବା ବେଳେ ଚିଠି ପୂର୍ବରୁ ଲୋକସଭା ଅଧିବେଶନ ଆରମ୍ଭ ହୋଇଛି । ତେବେ ଏଭଳି ଦାୟିତ୍ବ ହୀନତା ପାଇଁ କିଏ ଦାୟୀ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ଅଲଗା ବ୍ଳକରେ ଦଶମ ସାଧାରଣ ଅଧିବେଶନ ଶେଷ ହୋଇଥିବା ବେଳେ ଗଣିଆରେ ମାତ୍ର ୭ଟି ଅଧିବେଶନ ଶେଷ ହୋଇଛି । ଗଣିଆରେ ଶିକ୍ଷା, ସ୍ବାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସମିତି ବୈଠକ ଠିକରେ ନହେବା ବିଭାଗୀୟ ଅପାରଗତାକୁ ପଦାରେ ପକାଉଛି । ସମିତି ବୈଠକ ସରଗରମ ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ବୈଠକ ବାତିଲ ହେବା ଘଟଣାର ରହସ୍ୟ ଜଣାପଡ଼ିନାହିଁ ।
ମଣିଭଦ୍ରା ଖବର, ଗଣିଆ


Post a Comment