ମତ୍ସ୍ୟସମ୍ପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଯାଆଁଳ ଛାଡ଼ିବା କାର୍ଯ୍ୟକ୍ରମ ଅନୁଷ୍ଠିତ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବ୍ଲକ ଅଧୀନ ବଡବାଣପୁର ପଞ୍ଚାୟତ ମହାଦେବ ସାହି ନିକଟବର୍ତ୍ତୀ ମହାନଦୀ କୂଳରେ ମତ୍ସ୍ୟସମ୍ପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଯାଆଁଳ ଛାଡ଼ିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷା ଦିଗରେ ସରକାର ଏହି ପ୍ରକଳ୍ପ ଆରମ୍ଭ କରିଥିବା ନେଇ ମତପ୍ରକାଶ ପାଇଥିଲା। ସେହିପରି ମହାନଦୀରେ ଆଜି ଉନ୍ନତ ମାନର ମାଛ ଯାଆଁଳ ମଧ୍ୟ ଛଡାଯାଇଥିଲା। ବିଶେଷକରି ମଧୁର ଜଳ ମାଛ ଚାଷର ଚାହିଦା ଥିବାବେଳେ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ମିଳିଛି। ନୟାଗଡ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ରାମେଶ୍ବର ଶତପଥୀ, ୬ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଉଜ୍ବଳ ମହାରଣ, ଡେପୁଟି କଲେକ୍ଟର ସୁମିତ୍ରା ଭୂୟାଁ, ବାଣପୁର ସରପଞ୍ଚ ପ୍ରତିମା ପ୍ରଧାନ ଏବଂ ବେଣାଗାଡ଼ିଆ ସରପଞ୍ଚ ବଳରାମ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ରହିବା ସହିତ ଚାଷୀଙ୍କ ଯୋଜନା ବାବଦରେ ସୂଚନା ଦେଇଥିଲେ। ଖଣ୍ଡପଡ଼ା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଦେବାଶିଷ ଜେନାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସଦର ସହକାରୀ ମତ୍ସ୍ୟ ଅଧିକାରୀ ସ୍ନେହାଂସୁ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ମହାନଦୀରେ ପ୍ରାୟ ୭ ଲକ୍ଷ ୫୦ ହଜାର ଯାଆଁଳ ଛଡ଼ାଯାଇଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କୈବର୍ତ୍ତ ସମାଜର ଶତାଧିକ ପୁରୁଷ ଓ ମହିଳାଙ୍କ ସମେତ ମତ୍ସ୍ୟଜୀବୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ମତ୍ସ୍ୟଚାଷ ସମ୍ବନ୍ଧରେ ସଚେତନ ହୋଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق