BREAKING
Loading...
:

ମାଛକୁଣ୍ତ ଜଳବିଦ୍ୟୁତ ପ୍ରକଳ୍ପକୁ ୭୦ବର୍ଷ ବିତିଲା

 ମାଛକୁଣ୍ତ ଜଳବିଦ୍ୟୁତ ପ୍ରକଳ୍ପକୁ ୭୦ବର୍ଷ ବିତିଲା


ସବୁ ହରାଇ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ

କୋରାପୁଟ (ମଣିଭଦ୍ରା ଖବର) କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ରହିଛି ମାଛକୁଣ୍ତ ଜଳବିଦ୍ୟୁତ ପ୍ରକଳ୍ପ ରହିଛି। କିନ୍ତୁ ଏହି ପ୍ରକଳ୍ପ ପ‌ାଇଁ ସର୍ବସ୍ବ ହରାଇଥିବା ଅଞ୍ଚଳବାସୀ ୭୦ବର୍ଷ ହେଲା ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ଆଜି ପର୍ଯ୍ୟନ୍ତ ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ମଧ୍ୟ ହୋଇପାରିନି। ୧୯୪୫ ଜାନୁଆରି ୧୪ ତାରିଖରେ ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ତ ନିକଟସ୍ଥ ଅନକାଡେଲୀ ନିକଟରେ ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ସ୍ଥାନ ସ୍ଥିର କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ  ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଚୁକ୍ତିନାମା କରାଯାଇଥିଲା। ଚୁକ୍ତିନାମା ଅନୁସାରେ କେବଳ ଜଳ ଓ ଜମି ଓଡ଼ିଶାର ରହିବ ଏବଂ ସମସ୍ତ ଖର୍ଚ୍ଚ ଆନ୍ଧ୍ର ସରକାର ବହନ କରିବେ। ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତର ୭୦ପ୍ରତିଶତ ଆନ୍ଧ୍ର ଓ ୩୦ ପ୍ରତିଶତ ଓଡ଼ିଶା ନେବାକୁ ଚୁକ୍ତିନାମା କରାଯାଇଥିଲା। ୧୯୫୫ ମସିହାରେ ଏହି ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିଲା। ୨୦୨୦ ମସିହାରେ ଆନ୍ଧ୍ର ଓ ଓଡ଼ିଶାକୁ ୫୦-୫୦ ପ୍ରତିଶତ ବିଦ୍ୟୁତ ଯୋଗାଣ କରାଯିବା ନେଇ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ପ୍ରକଳ୍ପ ପାଇଁ ଜଲ୍ଲାପୁଟରେ ନଦୀବନ୍ଧ କରିବାକୁ ସ୍ଥିର କରାଯାଇଥିଲା। ଏଥିରେ ୧୧ଟି ଗ୍ରାମର ୨୫୦୦ ପରିବାର ବିସ୍ଥାପିତ ହୋଇଥିଲେ। କିନ୍ତୁ ପ୍ରକଳ୍ପ ହେବାର ୭୦ ବର୍ଷ ପରେ ବି ଅଞ୍ଚଳବାସୀ ସୁବିଧା ସୁଯୋଗ ପାଇପାରୁନାହାନ୍ତି। ପ୍ରକଳ୍ପର ଆଖପାଖ ଗ୍ରାମରେ ବିଦ୍ୟୁତ ନଥିବା ବେଳେ ମୌଳିକ ସୁବିଧା ପହଞ୍ଚି ପାରିନି। ଆଜି ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କୁ  ଚିହ୍ନଟ କରାଯାଇ ସୁବିଧା ସୁଯୋଗ ଯୋଗାଇ ଦିଆଯାଇନି। ଅଞ୍ଚଳବାସୀ ନିଜ ହକ ପାଇବା ପାଇଁ କେତେ ଥର ଆନ୍ଦୋଳନ କରିଥିଲେ ମଧ୍ୟ ସୁଫଳ ମିଳୁନି। ଆଖପାଖ ଗ୍ରାମବାସୀଙ୍କ ନିମନ୍ତେ ମେଡିକାଲ ସୁବିଧା ଓ ରାସ୍ତାଘାଟ ବ୍ୟବସ୍ଥା ନାହିଁ। ଏଥିସହ ଏହି ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନି। ଏପରିକି ପ୍ରକଳ୍ପ ନିକଟରେ ଥିଲେ ମଧ୍ୟ ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡ଼ୁଛି। ଚୁକ୍ତିନାମାରେ ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ପାଇଁ ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଥିଲା। କିନ୍ତୁ ଆଜି ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରୁନି। ତୁରନ୍ତ ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ପ୍ରକଳ୍ପ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS