ପାଠପଢ଼ା ନହୋଇ ମଧ୍ୟାହ୍ନ ଭୋଜନ ହଡ଼ପ ଘଟଣା
ସୂଚନାଦାତାଙ୍କୁ ବିଦ୍ୟାଳୟକୁ ଡ଼କାଇ କଙ୍ଗାରୁ କୋର୍ଟରେ ଆକ୍ରମଣ
ମିଥ୍ୟା ମାମଲାରେ ଫସାଇବାକୁ ନେଇ ପ୍ରଧାନ ଶିକ୍ଷକ ଦେଲେ ଏତଲା
ସାଧା କାଗଜରେ ରଖିଲେ ଦସ୍ତଖତ, ଛେପ ପକାଇ ଚାଟିବାକୁ ବାଧ୍ୟ
ଗଣମାଧ୍ୟମର କଣ୍ଠରୋଧ ପାଇଁ ପ୍ରଧାନ ଶିକ୍ଷକଙ୍କ ମସୁଧା
ନୟାଗଡ଼ (ବ୍ୟୁରୋ) ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଜାମେଣ୍ଢି ପଞ୍ଚାୟତ ପ୍ରଧାନପଡ଼ା ସେବାଶ୍ରମରେ ଗତ ୭ ତାରିଖ ଦିନ ଶିକ୍ଷକଙ୍କ ଅନୁପସ୍ଥିତ ସାଙ୍ଗକୁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବା ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଏବେ ପ୍ରତିଶୋଧ ପରାୟଣ ହୋଇ ଉଠିଛନ୍ତି ସମ୍ପୃକ୍ତ ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଏକ। ସୂଚନାଦାତାଙ୍କୁ ବିଦ୍ୟାଳୟକୁ ଡ଼କାଇ ମେଳି ବାନ୍ଧି କଙ୍ଗାରୁକୋର୍ଟରେ ଆକ୍ରମଣ କରିବା ସହ ପାଲଟା ମିଥ୍ୟା ମାମଲାରେ ଫସାଇବାକୁ ଥନାରେ ଦିଆଯାଇଛି ଏତଲା। କୋମଳମତି ଛାତ୍ରଛାତ୍ରଛାତ୍ରୀଙ୍କ ପାଇଁ ସରକାର ମଧ୍ୟାହ୍ନ ଭୋଜନ ଭଳି ପୋଷଣ ଯୁକ୍ତ ଖାଦ୍ୟ ଦେଉଥିବା ବେଳେ ଏହାକୁ ହରିଲୁଟ୍ କରିବାର ମସୁଧା ପଦାରେ ପଡ଼ିବା ପରେ ଏବେ ନିଜକୁ ଘଣ୍ଟ ଘୋଡ଼ାଇବା ଓ ନିଜ ଉପରୁ କାର୍ଯ୍ୟାନଷ୍ଠାନ ଭୟ ଦୂର କରିବା ପାଇଁ ବାଣିଗୋଛା ଥାନାରେ ଏତଲା ଦିଆଯାଇଛି। ବଡ଼କଥା ହେଉଛି ଖବର ପ୍ରକାଶନ ପରେ ମଧ୍ୟାହ୍ନ ଭୋଜନ ରିପୋର୍ଟ ପ୍ରଦାନ ନିମନ୍ତେ ସରକାର ଜାରି କରିଥିବା ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (ପିଏମପି) ଆପରୁ ଗୋଟିଏ ଦିନରେ ରିପୋର୍ଟ ଉଭାନ୍ ହେବାପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ଚଞ୍ଚକତା ପଦାରେ ପଡ଼ିଛି। ଯାହାକି ଏବେ ସେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଯେ ଗ୍ରୀଷ୍ମ ପ୍ରବାହକୁ ନେଇ ସରକାର ସକାଳୁଆ ପାଠପଢ଼ା କରିଛନ୍ତି। ଗତ ୭ ତାରିଖ ଦିନ ଉକ୍ତ ସେବାଶ୍ରମ ଖୋଲାଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ କିମ୍ବା ପାଚିକା କେହି ବି ଉପସ୍ଥିତ ନଥିଲେ। ପାଚିକାଙ୍କ ଆନ୍ଦୋଳନ ଥିବାବେଳେ ସମ୍ପୃକ୍ତ ଶିକ୍ଷକ ଶ୍ରୀ ନାୟକ ବିଳମ୍ବରେ ବିଦ୍ୟାଳୟରେ ପହଞ୍ଚିଥିବା ନେଇ ପ୍ରତିକ୍ରିୟା ରଖିଥିଲେ। ଯାହାକି ମଧ୍ୟାହ୍ନ ଭୋଜନ ଦେଇନଥିବା ସ୍ବୀକାର କରିଥିଲେ। ହେଲେ ୧୮ ଜଣ ପିଲା ମଧ୍ୟାହ୍ନ ଭୋଜନ ଖାଇଥିବା ନେଇ କିଭଳି ରିପୋର୍ଟ ଦିଆଯାଇଛି ପଚାରିବାରୁ ସେସବୁ ଅଫିସରୁ ପକାଇ ଦେଇଥିବା କହି କଥାକୁ ଏଠାଇ ଦେଇଥିଲେ। ଯାହାକୁ ନେଇ ଗତ ୯ ତାରିଖ ଦିନ “ଆସିଲେନି ଶିକ୍ଷକ, ମିଳିଲାନି ମଧ୍ୟାହ୍ନ” ଭୋଜନ ଶୀର୍ଷକ ଖବର ପ୍ରକାଶନ ହୋଇଥିଲା। ଏହି ଖବର ପ୍ରକାଶନ ପରେ ହଠାତ୍ ପୋର୍ଟାଲରୁ ମଧ୍ୟାହ୍ନ ଭୋଜନ ରିପୋର୍ଟ ଉଭାନ ହୋଇ ଯାଇଥିଲା। ୧୮ ଜଣଙ୍କ ସ୍ଥାନରେ ୨୦ ଜଣ ଛାତ୍ରଛାତ୍ରୀ ଉପସ୍ଥାନ ଥିବା ଦର୍ଶାଇବା ସହ ମଧ୍ୟାହ୍ନ ଭୋଜନ ରିପୋର୍ଟକୁ ଶୂନ କରାଯାଇଥିଲା। ଯାହାକୁ ନେଇ ଏବିଇଓ ଗୋପବନ୍ଧୁ ଦେହୁରୀ ତୁରନ୍ତ ସେସବୁ ପିଲାଙ୍କୁ ସେହି ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶହେ ଗ୍ରାମ ଚାଉଳ ଓ ୭ ଟଙ୍କା ୬୪ ପଇସା ଫେରାଇବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିବା ପରେ ଗତ ୧୧ ତାରାଖ ଦିନ ‘ଛାତ୍ରଛାତ୍ରୀଙ୍କୁ ଟଙ୍କା ଓ ଚାଉଳ ଫେରାଇବାକୁ ନିର୍ଦ୍ଦେଶ’ ଶୀର୍ଷକ ଖବର ପ୍ରକାଶନ ହୋଇଥିଲା। ଏହି ଘଟଣା ପରେ ସମ୍ପୃକ୍ତ ଶିକ୍ଷକ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ନେଇ ବୈଠକ କରିବା ସହ ସୂଚନାଦାତା ଟୁକୁନା ସାହୁଙ୍କୁ ତୁରନ୍ତ ବୈଠକରେ ହାଜର ହେବାପାଇଁ ଫୋନ୍ କରିଥିଲେ। ଯାହାର ଫୋନ୍ ରେକର୍ଡ଼ ମଧ୍ୟ ରହିଛି। ହେଲେ ସେ ବୈଠକକୁ ଯାଇନଥିଲେ। ଉକ୍ତ ବିଦ୍ୟାଳୟ ପେପର ଯାଉଥିବା ବେଳେ ଗତକାଲି ଟୁକୁନା ପ୍ରଧାନ ଶିକ୍ଷକଙ୍କୁ ଫୋନ୍ କରି ଗେଟ୍ ବାହାରେ ମାସିକ ବିଲ୍ ବାବଦକୁ ୨୧୦ ଟଙ୍କା ଦେବାକୁ କହିଥିଲେ। ଏହାପରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରଧାନ ଶିକ୍ଷକ ତାଙ୍କୁ ବିଦ୍ୟାଳୟ ମଧ୍ୟକୁ ଡ଼ାକି ନେଇଥିଲେ। ସଙ୍ଗେସଙ୍ଗେ ମେଳି ବାନ୍ଧିଥିବା ଲୋକଙ୍କୁ ବିଦ୍ୟାଳୟକୁ ଡ଼କାଇଥିଲେ। କଙ୍ଗାରକୋର୍ଟ ବସିବା ସହ ତାଙ୍କୁ ମାରଧର କରି ଭୁଲ ମାଗି ଛେପ ପକାଇ ଚାଟିବାକୁ ବାଧ୍ୟ କରାଯାଇଥିଲା। ଯେଉଁଥିରେ ସେ ରାଜି ନହେବାର ମାଡ଼ ମଧ୍ୟ ମରା ଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଖବରପାଇ ବାଣିଗୋଛା ପୁଲିସ ପହଞ୍ଚି ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ନିଜ ଦୋଷ ଢ଼ାଙ୍କିବାକୁ ଯାଇ ପାଲଟା ପ୍ରଧାନ ଶିକ୍ଷକ ସାମ୍ବାଦିକଙ୍କ କଥାରେ ସେ ୫୦ ହଜାର ଟଙ୍କା ଦାବି କରୁଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଏପଟେ କଙ୍ଗାରୁ କୋର୍ଟ ବସାଇ ସର୍ବ ସମ୍ମୁଖରେ ମାରଧର କରିବା ସହିତ ଆଜି ଏକ ନିର୍ଦ୍ଦିଷ୍ଟ ଖବର କାଗଜରେ ତାଙ୍କ ଫଟୋକୁ ଭାଇରାଲ୍ କରି ଖବର ପ୍ରକାଶନ କରିବାରୁ ମାନସମ୍ମାନ ହାନୀ ହୋଇଥିବା ନେଇ ବାଣିଗୋଛା ଥାନାରେ ଟୁକୁନା ଲିଖିତ ଅଭିଯୋଗ କରିଛନ୍ତି। ଏପଟେ ଏହି ଘଟଣାରେ ଦୁଇଟି ମାମଲା ରୁଜୁହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା କହିଛନ୍ତି।
ମଣିଭଦ୍ରା ଖବର, ନୟାଗଡ଼


إرسال تعليق