ଶିକ୍ଷା ବିଭାଗକୁ ବଦନାମ କରିବାକୁ ଅଣ୍ଟା ଭିଡିଛନ୍ତି ଗଣିଆ ବ୍ଲକ ଶିକ୍ଷା ଅଧିକାରୀ,ଗଣମାଧ୍ୟମକୁ ଦେଉଛନ୍ତି ବିଭ୍ରାନ୍ତିକର ତଥ୍ୟ
ଗଣିଆ (ମଣିଭଦ୍ରା ଖବର) ଶିକ୍ଷା ଭଳି ଏକ ଗୁରୁତ୍ବପୂର୍ଣ ବିଭାଗରେ ରହି ଗଣମାଧ୍ୟମକୁ ବିଭ୍ରାନ୍ତିକର ତଥ୍ୟ ଦେବା କେତେ ଦୂର ଯୁକ୍ତିଯୁକ୍ତ ? ଯଦି ଜଣେ ବ୍ଳକ ଶିକ୍ଷା ଅଧିକାରୀ ଏଭଳି ଭୂଲ୍ ତଥ୍ୟ ପ୍ରଦାନ କରିବେ ତେବେ ଅଶିକ୍ଷିତ, ଅପାଠୁଆ ମାନଙ୍କୁ କ'ଣ କହିବା । ଘଟଣାକୁ ଅନୁସନ୍ଧାନ କଲେ ଜଣାପଡିଛି ଯେ ଗଣିଆରେ ୩ଟି ପରୀକ୍ଷା କେନ୍ଦ୍ରରେ କେତେ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ତେବେ ବ୍ଳକ ଶିକ୍ଷା ଅଧିକାରୀ ଗଣମାଧ୍ୟମକୁ ତଥ୍ୟ ଦେବାକୁ ଯାଇ ପ୍ରକାଶ କରିଥିଲେ କି ଗଣିଆରେ ୩ଟି ପରୀକ୍ଷା କେନ୍ଦ୍ରରେ ୪୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଏବଂ ବଡସିଲିଙ୍ଗା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ୫୦ କିଲୋମିଟର ଦୂର ଆଡକଟା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ।
ଏହି ତଥ୍ୟ ଅନୁସାରେ ବିଭିନ୍ନ ଗଣମାଧ୍ୟମରେ ପରୀକ୍ଷା ପୂର୍ବରୁ ଖବର ପରିବେଷଣ କରିବା ସହିତ ଆଦିବାସୀ ଛାତ୍ର ଛାତ୍ରୀ ମାନେ କିଭଳି ୫୦ କିଲୋମିଟର ଦୂରରେ ପରୀକ୍ଷା ଦେବାକୁ ଯାଉଛନ୍ତି ଏବଂ ବିଭାଗୀୟ ଅଧିକାରୀ ମାନେ କ'ଣ କରୁଛନ୍ତି ବୋଲି ଖବର ପରିବେଷଣ କରାଗଲା । କିନ୍ତୁ ଗତକାଲି ପରୀକ୍ଷା ହେବା ପରେ ଜଣାପଡ଼ିଲା କି ବ୍ଳକ ଶିକ୍ଷା ଅଧିକାରୀ ଦେଇଥିବା ତଥ୍ୟ ସଂପୂର୍ଣ୍ଣ ବିଭ୍ରାନ୍ତିକର ତଥା ମନମୁଖୀ । ପ୍ରକୃତରେ ଗଣିଆରେ ୩ଟି ପରୀକ୍ଷା କେନ୍ଦ୍ରରେ ୪୦୪ ଜଣ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିଥିବା ବେଳେ ୪୦୨ ଜଣ ପରୀକ୍ଷା ଦେଇଛନ୍ତି ଏବଂ ୨ ଜଣ ଅନୁପସ୍ଥିତ ଅଛନ୍ତି । ଏପରିକି ଆଦିବାସୀ ବହୁଳ ବଡସିଲିଙ୍ଗା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ୫୦ କିଲୋମିଟର ଦୂର ଆଡକଟା କେନ୍ଦ୍ରରେ ପରୀକ୍ଷା ନଦେଇ ଟାକରା ବିଦ୍ୟାଳୟରେ ପରୀକ୍ଷା ଦେଇଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ବୁଦ୍ଧିଜୀବୀ ଏବଂ ଜନସାଧାରଣ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମାଲୋଚନା କରିଥିଲେ । ବ୍ଳକ ଶିକ୍ଷା ଅଧିକାରୀଙ୍କ ଅପାରଗତା, ଖାମଖିଆଲି ମନୋଭାବ ଯୋଗୁଁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ଏବଂ ଅପମାନିତ ହେବାକୁ ପଡ଼ିଛି । ତେବେ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ପଚାରିବାରୁ ଏଭଳି ଭୁଲ୍ ତଥ୍ୟ ପ୍ରଦାନ କରିବା ଦ୍ବାରା ବିଭାଗ ବଦନାମ ହେଉଛି ବୋଲି ସେ ପ୍ରକାଶ କରିଥିଲେ । ଏପରିକି ଗଣମାଧ୍ୟମକୁ ବ୍ଳକ ଶିକ୍ଷା ଅଧିକାରୀ ଭୁଲ୍ ତଥ୍ୟ କାହିଁକି ପ୍ରଦାନ କଲେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ମାତ୍ର ୩ଟି ପରୀକ୍ଷା କେନ୍ଦ୍ରର ସଠିକ୍ ତଥ୍ୟ ଯଦି ବ୍ଳକ ଶିକ୍ଷା ଅଧିକାରୀ ଦେଇ ପାରୁ ନାହାନ୍ତି ତେବେ ବ୍ଳକରେ ଥିବା ଏତେ ସ୍କୁଲ କିଭଳି ପରିଚାଳନା କରୁଛନ୍ତି ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ଏପରିକି ଶିକ୍ଷା ବିଭାଗକୁ ବଦନାମ କରିବାକୁ ଏହା ଏକପ୍ରକାର ଷଡ଼ଯନ୍ତ୍ର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବ୍ଳକ ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



Post a Comment