ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ବେଲପଡାପାଟଣା ପଞ୍ଚାୟତରେ ଥିବା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦାମ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବେଲପଡାପାଟଣା ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ,ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ମହାପାତ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ନିରୁପମା ମହାପାତ୍ର,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଦାମ ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାହ୍ନୁଚରଣ ରାଉତ, ପରିଚାଳନା କମିଟିର ସଭାପତି ତଥା ସଦସ୍ୟମାନେ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜଣେ ଛାତ୍ର ବତ୍ସଳ, ପରୋପକାରୀ ତଥା ସମୟାନୁବର୍ତୀ ଶିକ୍ଷକ ଭାବେ ସେ ବେଶ୍ ପରିଚିତ ଥିବା ବେଳେ ବିଦ୍ୟାଳୟ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଚାକିରୀ ଜୀବନରେ ଅବସର ତ ନିଶ୍ଚୟ ଆସିବ କିନ୍ତୁ ଶିକ୍ଷକ ଜଣକ ଯେଉଁ ଛାପ ଛାଡି ଯାଇଥିବ ତାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିବ । ଏ ବିଦ୍ୟାଳୟରେ ଶିକ୍ଷକତା କରି ଅନେକ ଛାତ୍ର ଛାତ୍ରୀ ସୃଷ୍ଟି କରିପାରିଥିବାରୁ ମୁଁ ଗର୍ବିତ ବୋଲି ବିଦାୟୀ ଶିକ୍ଷକ ମତ ଦେଇଥିଲେ । ସୂଚନା ଯୋଗ୍ୟ ଯେ ଉକ୍ତ ବିଦ୍ୟାଳୟରେ ପୂର୍ବରୁ କାର୍ଯ୍ୟରତ ପ୍ରଧାନଶିକ୍ଷକ କାହ୍ନୁଚରଣ ରାଉତଙ୍କ ଅବସର ହୋଇଥିବା ବେଳେ ଏବେ ସୁଦାମ ସାହୁଙ୍କ ଅବସର ହୋଇଛି । ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଅବସର ନେବା ପରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ାରେ ବାଧା ଉପୁଜିବ ଏଥିରେ ସନ୍ଦେହ ନାହିଁ । ଶିକ୍ଷା ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବି କରିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق