ଚାନ୍ଦିନୀମାଲ ପଞ୍ଚାୟତରେ ସମାଜସେବୀ ସୁବାସ ନାୟକଙ୍କ ଦିବସ ବ୍ୟାପୀ ନିଶା ମୁକ୍ତି ପଦଯାତ୍ରା
ସମ୍ବଲପୁର (ମଣିଭଦ୍ରା ଖବର)
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଚାନ୍ଦିନୀମାଲ ଗ୍ରାମ ପଞ୍ଚାୟତକୁ ନିଶା ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି । ଏହି କ୍ରମରେ ଲାସ ଗ୍ରାମ ଏକ ପ୍ରକାର ନିଶା ମୁକ୍ତ ହୋଇ ସାରିଥିବା ଏବେ ଚାନ୍ଦିନୀମାଲ ଗ୍ରାମର ପାଳିପଡ଼ିଛି । ଏଥିପାଇଁ ବିଗତ ମାସରେ ଦୁଇ ଦୁଇ ଗୋଟି ସଚେତନତା ସଭା ଅନୁଷ୍ଠିତ ହେବା ପରେ ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ ଅନ୍ୟ ସାମାଜିକ କର୍ମୀମାନଙ୍କ ସହ ବିଭିନ୍ନ ପଡ଼ା ଗ୍ରାମକୁ ପଦଯାତ୍ରା ରେ ଯାଇ ନିଶା ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆହ୍ବାନ ଦେଇ ଆସୁଛନ୍ତି। ଚାନ୍ଦିନୀମାଲ ନିଶାମୁକ୍ତ ଅଭିଯାନରେ ଅନୁଷ୍ଠିତ ପଦଯାତ୍ରା ମାଧ୍ୟମରେ ଗ୍ରାମ ପଞ୍ଚାୟତ ନିକଟରେ ଯାଜ୍ଞସେନି ଶେଠ୍ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶ୍ରୀ ନାୟକ ପ୍ରଥମେ ନିଜ ଘରୁ ନିଶା ନିବାରଣ ଆରମ୍ଭ କରି ସମଗ୍ର ଗ୍ରାମ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କିଶାନ, ପୂର୍ବତନ ସରପଞ୍ଚ ଜୟ କିଶୋର ମହାପାତ୍ର, ପୂର୍ବତନ ସମିତି ସଭ୍ୟ ହିରାଧର ପ୍ରଧାନ, ପ୍ରହ୍ଲାଦ ଶୁଣାଣୀ ଓ ଅନନ୍ତ କଂଶରି ଭାଷଣ ଦେଇ ଆଗାମୀ ଦିନରେ ପଦଯାତ୍ରାକୁ ସଫଳ କରିବାକୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଏହା ପରେ ନମିତା ପ୍ରଧାନ , ଚାନ୍ଦିନୀ ଜୟପୁରିଆ ଓ ପଦ୍ମିନୀ ମହାନନ୍ଦିଆଙ୍କ ପରିଚାଳନାରେ ବିଭିନ୍ନ ସ୍ଲୋଗାନ ଦେଇ ଜନ ସଚେତନତା ପ୍ରକାଶ କରି ନିଶାମୁକ୍ତ ପଞ୍ଚାୟତ ପାଇଁ ଆହ୍ବାନ ଦେଇଥିଲେ। ସୁବାସ ବାବୁଙ୍କ ଏହି ପଦଯାତ୍ରାକୁ ଶତାଧିକ ମହିଳା ଓ ପୁରୁଷ ବିପୁଳ ଭାବରେ ସ୍ଵାଗତ କରିଥିଲେ । ଏହା ପରେ ନିଶା ମୁକ୍ତ ପଞ୍ଚାୟତ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ମେଲ୍ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବାର ସୂଚନା ସମାଜସେବୀ ସୁବାସ ନାୟକଙ୍କ ସୂତ୍ରରୁ ଜଣାପଡ଼ିଛି।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment