ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଭରଣପୋଷଣ ନାମରେ ସମାନ ସମ୍ପତ୍ତି ବାଣ୍ଟିବା ଭୁଲ୍.
ସୁପ୍ରିମକୋର୍ଟ ଗୁରୁବାର ବଡ଼ ରାୟ ଦେଇଛନ୍ତି। ଭରଣପୋଷଣ ଭତ୍ତା ନାମରେ ସ୍ବାମୀଙ୍କ ସମ୍ପତ୍ତିକୁ ସମାନ ଭାବେ ବାଣ୍ଟିବା ଭୁଲ୍ ବୋଲି କୋର୍ଟ କହିଛନ୍ତି। ଆର୍ଥିକ ସ୍ଥିତିକୁ ସ୍ବାମୀଙ୍କ ସମାନ କରିବାକୁ ଏହି ଭତ୍ତା ଉଦ୍ଦିଷ୍ଟ ନୁହେଁ। ଏହା କେବଳ ଜୀବନଯାପନ ସ୍ତରକୁ ଉତ୍ତମ କରିବା ପାଇଁ ଦିଆଯାଇଥାଏ। ମହିଳା ଏଥିପ୍ରତି ସାବଧାନ ରହିବା ଉଚିତ ଯେ ଆଇନ ସେମାନଙ୍କ ମଙ୍ଗଳ ପାଇଁ ରହିଛି।
ସ୍ବାମୀଙ୍କୁ ଦଣ୍ଡ ଦେବାକୁ, ଧମକାଇବାକୁ, ତାଙ୍କ ଉପରେ ଚାପ ପକାଇ ଜୋର ଜବରଦସ୍ତି ଟଙ୍କା ଆଦାୟ କରିବା ପାଇଁ ଆଇନକୁ ବ୍ୟବହାର କରାଯାଇପାରିବ ନାହିଁ। ଦେଶରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମାମଲାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ଅତୁଲ ରାଷ୍ଟ୍ରପତିଙ୍କ ନାମରେ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଏଥିରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାରକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।
ଖଣ୍ଡପୀଠ କହିଥିଲେ ଯେ ଭରଣପୋଷଣ ଭତ୍ତା ନାମରେ ସମ୍ପତ୍ତିକୁ ସମାନ ଭାବେ ବଣ୍ଟା ଯାଇପାରିବ ନାହିଁ। ଅନେକ ସମୟରେ ଭରଣପୋଷଣ ଭତ୍ତା ଜନିତ ଆବେଦନରେ ସମ୍ପତ୍ତି ବିଷୟରେ ଖୁଲାସା ହୋଇଥାଏ। ଜୀବନସାଥିର ସମ୍ପତ୍ତି, ସ୍ଥିତି ଏବଂ ଆୟ ବିଷୟରେ ଜଣାପଡ଼ିଥାଏ। ପରେ ପତ୍ନୀ ନିଜ ସ୍ବାମୀଠାରୁ ଅଧା ସମ୍ପତ୍ତି ଚାହିଁଥାଆନ୍ତି। କୋର୍ଟ ଆବେଦନକାରୀ ମହିଳାଙ୍କୁ ପ୍ରଶ୍ନ କରିଥିଲେ ଯେ ଯଦି ଅଲଗା ହେବା ପରେ ସ୍ବାମୀ ଭିକାରୀ ହୋଇଯିବେ ତେବେ ସେ କ'ଣ ନିଜ ସମ୍ପତ୍ତିର ସମାନ ହକ୍ ଦେବେ? ଖଣ୍ଡପୀଠ ମତ ଦେଇଥିଲେ ଯେ ହିନ୍ଦୁଙ୍କ ପାଇଁ ବିବାହ ପବିତ୍ର ସଂସ୍କାର ହୋଇଥାଏ। ଏହାକୁ ପରିବାରର ମୂଳଦୁଆ ଧରାଯାଇଥାଏ। ଏହାକୁ ବ୍ୟବସାୟ ଭାବେ ଦେଖିବା ଅନୁଚିତ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment