BREAKING
Loading...
:

ବିବାହ ପରେ ଚାକିରି ଛାଡ଼ୁଛନ୍ତି ୧୨% ମହିଳା

 ବିବାହ ପରେ ଚାକିରି ଛାଡ଼ୁଛନ୍ତି ୧୨% ମହିଳା

ନୂଆଦିଲ୍ଲୀ(ମଣିଭଦ୍ରା ଖବର) ବିଶ୍ବରେ ବିବାହକୁ ଜୀବନର ଏକ ନୂଆ ଆରମ୍ଭ ଭାବରେ ପାଳନ କରାଯାଇଥାଏ। ଭାରତରେ ଏହା କିଛି କମ୍‌ ନୁହେଁ। ସାଧାରଣ ହୁଅନ୍ତୁଟ୍ଟ ଅବା କର୍ମଜୀବୀ, ସବୁ ବର୍ଗର ମହିଳା ବିବାହକୁ ନେଇ ଅନେକ ଯୋଜନା କରିଥାନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଅନେକଙ୍କର ଯୋଜନା ଫଳବତୀ ହୋଇନଥାଏ। ବହୁ ମହିଳା ପାରିବାରିକ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିପାର ନଥିାନ୍ତି। କେତେକ ଘରଠାରୁ ଅଲଗା ହୋଇଯାଆନ୍ତି କିମ୍ବା ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ବିଶ୍ବ ବ୍ୟାଙ୍କର ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି ଯେ ବିବାହ ପରେ ଭାରତୀୟ ମହିଳାଙ୍କ ପାଇଁ ନିଯୁକ୍ତି ହାର ଏକ ତୃତୀୟାଂଶ ହ୍ରାସ ପାଉଛି। ଯାହା ସମାଜରେ ଜଡ଼ିତ ଗଭୀର ଲିଙ୍ଗଗତ ଅସମାନତାକୁ ଦର୍ଶାଉଛି।

ବିବାହ ପରେ ମହିଳାଙ୍କ ଉପରେ ପରିବାର ଦାୟିତ୍ବ ନ୍ୟସ୍ତ ହୋଇଥାଏ। କର୍ମଜୀବୀ ମହିଳାଙ୍କ ପାଇଁ ଉଭୟ ପରିବାର ଓ ଚାକିରି ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା କାଠିକର ପାଠ ହୋଇଥାଏ। ଏଥିରେ ବିଫଳ ହୋଇ କେତେକ ମହିଳା ପରିବାରକୁ ପ୍ରାଥମିକତା ଦେଇ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ଉଭୟ ମଧ୍ୟରେ ସନ୍ତୁଳନ ରକ୍ଷା କରି ଚାଲିଥିବା ଆଉ କେତେକ ମହିଳା ଯେବେ ମାତୃତ୍ବ ଲାଭ କରନ୍ତି, ଉଭୟ ପରିବାର ଦାୟିତ୍ବ ଓ ଶିଶୁର ଯତ୍ନ ପାଇଁ ସମୟ ଅଭାବରୁ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ପରିସଂଖ୍ୟାନ ଅନୁଯାୟୀ, ବିବାହ ପରେ ପ୍ରାୟ ୧୨% ମହିଳା ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି।

ଅନ୍ୟପକ୍ଷରେ ପୁରୁଷ କର୍ମଜୀବୀଙ୍କ କ୍ଷେତ୍ରରେ ବିବାହ ପରେ ରୋଜଗାର ହାର ୧୩ଧ ବୃଦ୍ଧି ପାଇଛି, ଯାହା ଲିଙ୍ଗଗତ ଅସମାନତାକୁ ଦର୍ଶାଉଛି। ପରିବାର ଦାୟିତ୍ବ ଓ ସୁଗୃହିଣୀ ହେବା ପାଇଁ ପାରମ୍ପରିକ ବୋଝ ମୁଣ୍ଡାଇ ଚାଲିଥିବା ମହିଳା ନିଜ ବୃତ୍ତିଗତ ଅଭିଳାଷକୁ ଭୁଲିବାକୁ ବାଧ୍ୟ ହେଉଛନ୍ତି।

ସାମାଜିକ ମାନଦଣ୍ଡ ପୂରଣ କରିବା ପାଇଁ ମହିଳା ପରିବାର ଦାୟିତ୍ବକୁ ପ୍ରାଥମିକତା ଦେବା ସହ ସମୟ ଅଭାବରୁ ଚାକିରି ଛାଡ଼ୁଛନ୍ତି, ଅଥବା କମ୍‌ ଦରମା ମିଳୁଥିବା ଓ କମ୍‌ ଦାୟିତ୍ବ ଥିବା ଚାକିରିକୁ ବାଛୁଛନ୍ତି। ଏହା କେବଳ ସେମାନଙ୍କ ଆର୍ଥିକ ସ୍ବତନ୍ତ୍ରତାକୁ ରୋକୁନାହିଁ ବରଂ ଲିଙ୍ଗଗତ ଅସମାନତାକୁ ମଧ୍ୟ ପ୍ରୋତ୍ସାହନ ଦେଉଛି। ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ରରେ ଅଭିବୃଦ୍ଧି ପାଇଁ ପ୍ରତ୍ୟେକ ଅବଦାନ ଗୁରୁତ୍ୱପୂର୍ଣ୍ଣ, ତେଣୁ ମହିଳାଙ୍କୁ କର୍ମକ୍ଷେତ୍ରରୁ ବାଦ ଦେବା ଏକ ବୃହତ କ୍ଷତିର କାରଣ ହେବ। ଅଧ୍ୟୟନଗୁଡିକ କ୍ରମାଗତ ଭାବରେ ଦର୍ଶାଉଛି ଯେ ମହିଳା ଶ୍ରମିକଙ୍କ ଅଂଶଗ୍ରହଣ ଭାରତର ଜିଡିପିକୁ ବହୁଗୁଣିତ କରିପାରିବ ଏବଂ ଦୀର୍ଘସ୍ଥାୟୀ ଅର୍ଥନୈତିକ ସ୍ଥିରତା ଆଣିବ।

ତେଣୁ ଏଥିରେ ସୁଧାର ପାଇଁ ପ୍ରଥମେ ସାଂସ୍କୃତିକ ଓ ପାରମ୍ପରିକ ପରିବର୍ତ୍ତନ ଆବଶ୍ୟକ। ଲିଙ୍ଗଗତ ଅସମାନତାକୁ ଦୂର କରି ପରିବାର ଦାୟିତ୍ବ ସମାନ ଭାବେ ଉଭୟ ମହିଳା ଓ ପୁରୁଷଙ୍କ ଉପରେ ନ୍ୟସ୍ତ ହେବା ଆବଶ୍ୟକ। ଏଥିନିମନ୍ତେ ବ୍ୟାପକ ସଚେତନତା ଅଭିଯାନ ଓ ଶିକ୍ଷା ଆବଶ୍ୟକ। ଏ କ୍ଷେତ୍ରରେ ଉଭୟ ସରକାର ଏବଂ ଘରୋଇ କ୍ଷେତ୍ର ଏକତ୍ର କାମ କରିବା ଆବଶ୍ୟକ। ମହିଳାଙ୍କ ପାଇଁ ମାତୃତ୍ବ ଛୁଟି, ସୁହାଇବା ପରି କାର‌୍ୟ୍ୟ ସମୟ ଏବଂ ସୁଲଭ ଶିଶୁ ଯତ୍ନ ସେବା ପ୍ରଦାନ କଲେ ମହିଳାଙ୍କ ଉପରେ ଚାପ କମିବ ଓ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧିପାଇବ।


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS