ଦଶହରା ତଥା ରାବଣ ପୋଡି ପାଇଁ ଉତ୍ସବ ମୁଖର ଭାପୁର, ପୂଜା ମଣ୍ଡପରୁ ମା'ଙ୍କ ଭସାଣି ଯାତ୍ରା
ଭାପୁର, ୧୫/୧୦ (ମଣିଭଦ୍ରା ଖବର) ଜଗଜ୍ଜନନୀ ମା' ଦୁର୍ଗା ଙ୍କ ପୂଜା ଓ ରାବଣ ପୋଡିପାଇଁ ଉତ୍ସଵ ମୁଖର ହୋଇ ଉଠିଛି ଭାପୁର ଅଞ୍ଚଳ। ପବିତ୍ର ଦଶହରା ପୂଜା ଅବସରରେ ଭାପୁର ବ୍ଲକ ର ବିଭିନ୍ନ ସ୍ଥାନର ପୂଜା ମଣ୍ଡପରେ ଗୁରୁବାର ଠାରୁ ମହାମାୟା ମା' ଦୁର୍ଗାଙ୍କର ସପ୍ତମୀ ପୂଜା ଆରମ୍ଭ ହୋଇ ରବିବାର ଦିନ ପୂଜା ଶେଷ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପୂଜା ପେଣ୍ଡାଲରେ ସାମାଜିକ ଓ ପୌରାଣିକ ନାଟକ, ପାଲା, ଦାସକାଠିଆ, ଘୁଡ଼ିକି, ଘୋଡ଼ା ନାଚ, ଦୁଆରୀ, ସଙ୍କୀର୍ତ୍ତନ, ଆଦି ବିଭିନ୍ନ ଲୋକକଳା ନୃତ୍ୟ ପରିବେଷଣ ହେଉଛି। ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହେବା ସହ ଜନ ସମାଗମ ଦେଖିବାକୁ ମିଳିଛି। ଭାପୁର ବ୍ଲକର ଭାପୁର, ବାଘୁଆପଲ୍ଲୀ, ବଳଦିଆ ନୂଆଗାଁ, ବୋରଗାଁ, ବାଇଗୁଣିଆ, ରାମପଡ଼ା, ତରବାଲୋ, ଗୋଳା ପୋଖରୀ, ବିଜିପୁର, ପଦ୍ମାବତୀ, ମାଳିବେରେଣୀ ଆଦି ଗ୍ରାମର ବିଭିନ୍ନ ପୂଜା ମଣ୍ଡପରେ ମହା ଆଡମ୍ବରେ ମା' ଦୂର୍ଗା ଙ୍କ ପୂଜା ରୀତି ନୀତି ଅନୁଯାୟୀ ପାଳିତ ହୋଇ ଯାଇଛି। ସବୁଠାରୁ ଆକର୍ଷଣୀୟ ହେଉଛି ଭାପୁର ବ୍ଲକ ସଦର ମହକୁମା ସ୍ଥିତ ମା' ବ୍ରାହ୍ମଣୀ ଦେବୀ ବଣିକ ସଂଘ ପକ୍ଷରୁ ରବିବାର ରାତିରେ ରାବଣ ପୋଡି ଉତ୍ସଵ। ଉକ୍ତ ରାବଣ ପୋଡି ଉତ୍ସଵ ଦେଖିବା ପାଇଁ ହଜାର ହଜାର ଦର୍ଶକ ମାନଙ୍କ ସମାଗମ ହୋଇଥିଲା। ବଣିକ ସଂଘର ସଭାପତି କାର୍ତ୍ତିକ ଚନ୍ଦ୍ର ନାୟକ ଓ ସଂପାଦକ ସନାତନ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ସଂଘର ପୂର୍ବତନ ସଭାପତି, ଭାପୁର ଗ୍ରାମ କମିଟିର ସଭାପତି, ସାମ୍ୱାଦିକ ସଙ୍ଘର ସଭାପତି ରଞ୍ଜନ କୁମାର ମହାପାତ୍ର ଓ ଶୁଭେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଫତେଗଡ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା, ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଓ ପୁଲିସ କର୍ମଚାରୀ ମୁତୟନ ହୋଇଥିବା ବେଳେ ଭାପୁର ଅଗ୍ନିଶମ ବାହିନୀ ନିଆଁ ଲିଭା ଗାଡି ସହ ସଜାଗ ରହିଥିଲେ। ଭାପୁର ବଜାରରେ ଚଳିତ ବର୍ଷ ପ୍ରଥମ କରି ରାବଣ ପୋଡି ଅନୁଷ୍ଠିତ ହୋଇଥିଲା। ସୋମବାର ଦିନ ପୂଜା ମଣ୍ଡପରୁ ମା' ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ବିଭୂତି ମହାପାତ୍ର, ଭାପୁର


Post a Comment