BREAKING
Loading...
:

ପିଇବା ପାଣି କୂଅରେ କୁକୁରର ମୃତଦେହ : ଗ୍ରାମରେ ତୀବ୍ର ଉତ୍ତେଜନା : ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଦାବୀ

 ପିଇବା ପାଣି କୂଅରେ କୁକୁରର ମୃତଦେହ :  ଗ୍ରାମରେ ତୀବ୍ର ଉତ୍ତେଜନା : ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଦାବୀ 



ବାଲିଗୁଡ଼ା, ୨୦/୧୧ :- ଜଳ ହିଁ ଜୀବନ। ହେଲେ ଯେଉଁ ଜଳ ଉପରେ ଗୋଟିଏ ଗ୍ରାମର ଶତାଧିକ ଲୋକଙ୍କ ଜୀବନ ନିର୍ଭରଶୀଳ, ସେହି ପାନୀୟ ଜଳର ଉତ୍ସକୁ ଦୂଷିତ କରିଦେବା ଭଳି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ବାତ୍ୟା ‘ଅକ୍ୱାନ୍‌’କୁ ନେଇ ଲୋକେ ଆତଙ୍କିତ ଥିବାବେଳେ ଏବେ ପିଇବା ପାଣିର ସଙ୍କଟ ମାଣ୍ଡୁବାଡ଼ି ଗ୍ରାମବାସୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ମାଣ୍ଡୁବାଡ଼ି ଗ୍ରାମରେ ଘଟିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କେହି ଦୁର୍ବୃତ୍ତ ଗ୍ରାମର ଏକମାତ୍ର ପାନୀୟ ଜଳ କୂଅରେ କୁକୁରର ମୃତଦେହ ଫିଙ୍ଗି ଦେଇଛି। ଫଳରେ କୂଅର ପାଣି ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବା ବେଳେ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି।ସୂଚନାନୁଯାୟୀ, ମାଣ୍ଡୁବାଡ଼ି ଗ୍ରାମରେ ମାତ୍ର ଗୋଟିଏ କୂଅ ରହିଛି। ଏହି କୂଅ ଉପରେ ପ୍ରାୟ ୫୦ଟି ପରିବାରର ୧୫୦ରୁ ଅଧିକ ଲୋକ ନିର୍ଭର କରନ୍ତି। ପିଇବା ପାଣି, ରୋଷେଇ ଓ ଦୈନନ୍ଦିନ ଘରୋଇ କାର୍ଯ୍ୟ ସହିତ ଚାଷ କାମ ପାଇଁ ମଧ୍ୟ ଏହି କୂଅର ଜଳ ବ୍ୟବହାର ହୋଇଥାଏ। ଏଭଳି ସ୍ଥିତିରେ କୂଅରେ କୁକୁରର ମୃତଦେହ ମିଳିବା ଗ୍ରାମବାସୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଶୁକ୍ରବାର(ଆଜି) ସକାଳେ ଗ୍ରାମର କେତେକ ମହିଳା ପ୍ରତିଦିନ ଭଳି ପାଣି ଆଣିବାକୁ କୂଅ ନିକଟକୁ ଯାଇଥିବା ବେଳେ ପାଣି ଭିତରେ କୁକୁରର ମୃତଦେହ ଭାସୁଥିବା ଦେଖିଥିଲେ। ଏହା ଦେଖି ସେମାନେ ଭୟଭୀତ ହେବା ସହ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପ୍ରଚାରିତ ହେବା ପରେ ଗ୍ରାମର ଲୋକେ କୂଅ ନିକଟରେ ଏକାଠି ହୋଇଥିଲେ। କିଏ ଏଭଳି କାଣ୍ଡ ଘଟାଇଲା, ଏହା ପଛରେ କାହାର ଉଦ୍ଦେଶ୍ୟ ରହିଛି, ତାହାକୁ ନେଇ ଗ୍ରାମରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ, ଏକମାତ୍ର ଜଳଉତ୍ସ ଦୂଷିତ ହୋଇଯିବା ପରେ ଏବେ ପ୍ରାୟ ୧୫୦ ଜଣ ଲୋକ କେଉଁଠୁ ପିଇବା ପାଣି ସଂଗ୍ରହ କରିବେ, ତାହା ବଡ଼ ପ୍ରଶ୍ନ ହୋଇଛି। ବିଶେଷକରି ମହିଳା ଓ ଛୋଟ ପିଲାଙ୍କ ପାଇଁ ଏହି ସମସ୍ୟା ଅଧିକ ଚିନ୍ତାଜନକ ହୋଇପଡ଼ିଛି। ଦୂଷିତ ପାଣି ବ୍ୟବହାର କଲେ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ କୂଅର ପାଣି ବ୍ୟବହାର ନକରିବାକୁ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଏନେଇ ଗ୍ରାମର ପ୍ରଦୀପ ବଳିୟାର ସିଂ ଓ ବାସୁ ବଳିୟାର ସିଂ ପ୍ରମୁଖ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଘଟଣାର ସମାଧାନ ଓ ତୁରନ୍ତ ପ୍ରଶାସନିକ ସହାୟତା ପାଇଁ ଗ୍ରାମର ଏକ ପ୍ରତିନିଧି ମଣ୍ଡଳୀ ଦାରିଙ୍ଗବାଡ଼ି ଯାଇ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ଜଣାଇଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ତିନୋଟି ପ୍ରମୁଖ ଦାବି ଉଠିଛି। ପ୍ରଥମତଃ, ତୁରନ୍ତ ଟ୍ୟାଙ୍କର ଯୋଗେ ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯାଉ। ଦ୍ୱିତୀୟତଃ, କୂଅରୁ ମୃତଦେହକୁ ବାହାର କରି ବିଧିବଦ୍ଧ ଭାବେ କୂଅକୁ ସଫା ଓ ବିଶୋଧନ କରାଯିବା ସହ ଜଳର ମାନ ପରୀକ୍ଷା କରାଯାଉ। ତୃତୀୟତଃ, ଏଭଳି ଅମାନବୀୟ ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଉପଯୁକ୍ତ ଆଇନଗତ ପଦକ୍ଷେପ ନିଆଯାଉ। ସରକାର ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଆଜି ମଧ୍ୟ ଗୋଟିଏ କୂଅ ଉପରେ ୫୦ ପରିବାର ନିର୍ଭର କରିବା ଗ୍ରାମାଞ୍ଚଳର ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଏବେ ବାତ୍ୟା ଆଶଙ୍କା ମଧ୍ୟରେ ଏହି ସମସ୍ୟାର ତୁରନ୍ତ ସମାଧାନ କରି ମାଣ୍ଡୁବାଡ଼ିବାସୀଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ଦାରିଙ୍ଗବାଡ଼ି ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS