ବାଙ୍କୀରେ ବେଆଇନ ବାଲି ଚାଲାଣକାରୀଙ୍କ ଉପରେ ଉପଜିଲ୍ଲାପାଳଙ୍କ କଡ଼ା ଆକ୍ସନ!
ବିଳମ୍ବିତ ରାତିରେ ଚଢ଼ାଉ, ୧୨ଟି ବାଲି ବୋଝେଇ ହାଇୱା ଜବତ
ବାଙ୍କୀ , ୨୦l୧୧(ମାନସ ରଞ୍ଜନ ସାହୁ ): ବେଆଇନ ବାଲି ଉତ୍ତୋଳନ ଓ ଚାଲାଣକୁ ରୋକିବା ପାଇଁ ଆକ୍ସନ ମୋଡ୍ରେ ବାଙ୍କୀ ପ୍ରଶାସନ। ବିଳମ୍ବିତ ରାତିରେ ଅଚାନକ ଚଢ଼ାଉ କରି ବେଆଇନ ବାଲି ଚାଲାଣରେ ନିୟୋଜିତ ୧୨ଟି ହାଇୱାକୁ ଜବତ କରିଛନ୍ତି ବାଙ୍କୀ ଉପଜିଲ୍ଲାପାଳ ମୋନୋସ୍ଵିନୀ ଦାସ। ପ୍ରଶାସନର ଏହି ଚଢ଼ାଉ ପରେ ବେଆଇନ ବାଲି ଚାଲାଣକାରୀଙ୍କ ମଧ୍ୟରେ ଛନକା ପଶିଛି।
ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଶ୍ରୀମତୀ ଦାସ ବାଙ୍କୀ ସୁନାଦେଇ, କଇଁମୁଣ୍ଡି ଓ ବୈଦେଶ୍ୱର ଅଞ୍ଚଳରେ ଅଚାନକ ଚଢ଼ାଉ କରିଥିଲେ। ଏହି ସମୟରେ ବେଆଇନ ଭାବେ ବାଲି ପରିବହନ କରୁଥିବା ୧୨ଟି ହାଇୱାକୁ ଜବତ କରାଯାଇଥିଲା। ପରେ ଜବତ ଗାଡ଼ିଗୁଡ଼ିକୁ ପୋଲିସ ହେପାଜତକୁ ହସ୍ତାନ୍ତର କରାଯାଇଛି।
ଏଥିସହ ଏହି ବେଆଇନ କାରବାରରେ ସମ୍ପୃକ୍ତ ଗାଡ଼ିଗୁଡ଼ିକ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ବିରୋଧରେ ପ୍ରଶାସନର ଏହି ଅଚାନକ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବା ସହ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି।
ବାଙ୍କୀ ଅଞ୍ଚଳରେ ବେଆଇନ ବାଲି କାରବାର ଉପରେ ପ୍ରଶାସନର ଏହି ଚଢ଼ାଉ ଆଗାମୀ ଦିନରେ କେତେଦୂର ପ୍ରଭାବ ପକାଉଛି, ତାହା ଦେଖିବାକୁ ବାକି ରହିଲା।
ମଣିଭଦ୍ରା ଖବର, ବାଙ୍କୀ


Post a Comment