ରାମଚନ୍ଦ୍ର ପ୍ରାଣବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ରାସଙ୍ଗରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି
ଗଣିଆ (ମଣିଭଦ୍ରା ଖବର) ରାମଚନ୍ଦ୍ର ପ୍ରାଣବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ରାସଙ୍ଗଠାରେ ଏକ ଆକର୍ଷଣୀୟ ବିଜ୍ଞାନ ପ୍ରଦର୍ଶନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାସଂଗ ଗ୍ରାମ ପଞ୍ଚାୟତ ସରପଞ୍ଚ ମାନସ ମହାଖୁଡ ଓ ସମ୍ମାନିତ ଅତିଥି ରାସଙ୍ଗ କ୍ଲଷ୍ଟର ର ସିଆରସିସି ସୁଶାନ୍ତ କୁମାର ରଣା ଏବଂ ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ରାଉତ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ବିଚାରକ ଭାବେ ପ୍ରଣୟ କୁମାର ପ୍ରଧାନ ଏବଂ ମାନସ ରଞ୍ଜନ ଦାଶ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୌର ଶକ୍ତି, ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା, ମିଶ୍ରିତ କୃଷି, ସୌର ଜଳସେଚନ ପ୍ରଣାଳୀ ଆଦି ବିଭିନ୍ନ ବିଷୟ ଉପରେ ନିଜ ନିଜର ମଡେଲ୍ ଓ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେମାନେ ନିଜ ପ୍ରକଳ୍ପଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅତିଥି ଏବଂ ବିଚାରକମାନଙ୍କୁ ବୁଝାଇଥିଲେ। ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଓ ନୂତନ ଉଦ୍ଭାବନର ମନୋଭାବ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଜ୍ଞାନ ଶିକ୍ଷକ ବିବେକାନନ୍ଦ ସ୍ୱାଇଁ, ବିଶ୍ୱମ୍ବର ବେହେରା,ପ୍ରୀତିଦୀପା ସାହୁ ଓ ଦୀପକ କୁମାର ପାତ୍ର ବିଶେଷ ଭୂମିକା ଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସରେଶ ପ୍ରଧାନଙ୍କ ମାର୍ଗଦର୍ଶନ ଓ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି ବିଜ୍ଞାନ ପ୍ରଦର୍ଶନୀ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଅନୁସନ୍ଧାନମୂଳକ ଚିନ୍ତାଧାରା ଓ ନୂତନ ଜ୍ଞାନ ଆହରଣ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଏକ ଉତ୍ତମ ମାଧ୍ୟମ ହୋଇପାରିଛି। ଶେଷରେ ସମସ୍ତ ଅତିଥି, ବିଚାରକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ୨୯ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିବା ବେଳେ ସେଥିମଧ୍ୟରୁ ୧୦ଟି ପ୍ରକଳ୍ପ ବ୍ଳକ ସ୍ତରକୁ ମନୋନୀତ ହୋଇଥିବା ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ


Post a Comment