BREAKING
Loading...
:

୩,୪୦୦ରୁ ଅଧିକ ପ୍ରତିଷ୍ଠାନକୁ ନୋଟିସ୍: ସଫଳତାର ସହ ସମ୍ପନ୍ନ ହେଲା "ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା" ଅଭିଯାନ*

 *୩,୪୦୦ରୁ ଅଧିକ ପ୍ରତିଷ୍ଠାନକୁ ନୋଟିସ୍: ସଫଳତାର ସହ ସମ୍ପନ୍ନ ହେଲା "ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା" ଅଭିଯାନ*



ଓଡ଼ିଶାକୁ ୨୦୩୬ ସୁଦ୍ଧା ଏକ ବିକଶିତ ତଥା ସମୃଦ୍ଧ ରାଜ୍ୟରେ ପରିଣତ କରିବା ଦିଗରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ତରଫରୁ ଏକ ମାସ ଧରି ଚାଲିଥିବା  "ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା" ଅଭିଯାନ ଆଜି ସଫଳତାର ସହ ସମ୍ପନ୍ନ ହୋଇଛି। ରାଜ୍ୟର ବିଭିନ୍ନ ଆବାସିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବାଣିଜ୍ୟିକ ସମ୍ପତ୍ତି ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରାଯାଇଛି। ରାଜ୍ୟର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଏବଂ ସହରୀକରଣ ସହିତ ଉଚ୍ଚା ଅଟ୍ଟାଳିକା, ବାଣିଜ୍ୟିକ କେନ୍ଦ୍ର ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି ଏବଂ ଅଗ୍ନି ସୁରକ୍ଷା ନିୟମାବଳୀର କଡ଼ା ପାଳନ କରିବା ପାଇଁ ଗତ ସେପ୍ଟେମ୍ବର ୧୫ ତାରିଖରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା।


*ଏହି ଅଭିଯାନ ଅଧୀନରେ ବିଭାଗ ପକ୍ଷରୁ ନିଆଯାଇଥିବା ମୁଖ୍ୟ ପଦକ୍ଷେପ:*


*୪,୬୦୫ଟି ପ୍ରତିଷ୍ଠାନରେ ବ୍ୟାପକ ଯାଞ୍ଚ; ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ*


ଏହି ଏକମାସିଆ ଅଭିଯାନ ସମୟରେ ରାଜ୍ୟର ବିଭିନ୍ନ କ୍ଷେତ୍ରର ମୋଟ ୪,୬୦୫ଟି ପ୍ରତିଷ୍ଠାନ ପରିଦର୍ଶନ କରାଯାଇ ଅଗ୍ନି ସୁରକ୍ଷା ନିୟମ, ବୈଧ ଲାଇସେନ୍ସ ଏବଂ ଆବଶ୍ୟକୀୟ ମାନଦଣ୍ଡର ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବା କିମ୍ବା କାଗଜପତ୍ରରେ ତ୍ରୁଟିଥିବା ୩,୪୦୪ଟି ପ୍ରତିଷ୍ଠାନକୁ ନୋଟିସ୍ ଜାରି କରାଯାଇଛି। ଏଥିସହିତ, ଅନୁମୋଦିତ ନକ୍ସାରେ ବ୍ୟତିକ୍ରମ କରିଥିବା ପ୍ରାୟ ୨୦୦ଟି ପ୍ରତିଷ୍ଠାନକୁ ସ୍ୱତନ୍ତ୍ର ନୋଟିସ୍ ଦିଆଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


*ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଡିଜିଟାଲ୍ ଆପ୍ ଏବଂ ୩ଡି ମ୍ୟାପିଂ ବ୍ୟବସ୍ଥା*


ଲାଇସେନ୍ସ ଆବଶ୍ୟକ କରୁଥିବା ସମସ୍ତ ପ୍ରତିଷ୍ଠାନର ଏକ ନିର୍ଭରଯୋଗ୍ୟ ଡାଟାବେସ୍ ପ୍ରସ୍ତୁତ କରାଯାଇଥିବାବେଳେ ଏକ ନୂତନ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ଲଞ୍ଚ କରାଯାଉଛି, ଯାହାଦ୍ୱାରା ସାଧାରଣ ଜନତା ହୋଟେଲ, ହସ୍ପିଟାଲ, ମଲ୍ କିମ୍ବା ବଡ଼ ବିଲ୍ଡିଂର ଫାୟାର୍ ସେଫ୍ଟି ସାର୍ଟିଫିକେଟ୍ ଅଛି କି ନାହିଁ ତାହା ନିଜେ ଯାଞ୍ଚ କରିପାରିବେ। ଏହାବ୍ୟତୀତ, ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାରକାର୍ଯ୍ୟକୁ ଅଧିକ ତ୍ୱରିତ କରିବା ପାଇଁ ବିଲ୍ଡିଂଗୁଡ଼ିକର ଏକ୍ଜିଟ୍/ଏଣ୍ଟ୍ରି ପଏଣ୍ଟ , ପାଣିର ଉତ୍ସ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରପାତିର ଅବସ୍ଥିତିକୁ ନେଇ ୩ଡି ମ୍ୟାପ୍ ଡାଟାବେସ୍ ମଧ୍ୟ ପ୍ରସ୍ତୁତ କରାଯାଉଛି।


*ଜନସାଧାରଣଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଏବଂ ହ୍ଵାଟ୍ସଆପ୍ ସେବା*


ବ୍ୟବସାୟିକ ସହଜତା ବଜାୟ ରଖିବା ପାଇଁ ଭୁବନେଶ୍ୱରସ୍ଥିତ କମାଣ୍ଡ ସେଣ୍ଟରରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ଯେକୌଣସି ନାଗରିକ, ବ୍ୟବସାୟୀ କିମ୍ବା ଅନୁଷ୍ଠାନ ଫାୟାର୍ ସେଫ୍ଟି ସାର୍ଟିଫିକେଟ୍, ସୁପାରିଶ କିମ୍ବା ଏନ୍.ଓ.ସି. ଆବେଦନ ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସିଧାସଳଖ 9237046977 ନମ୍ବରକୁ ହ୍ଵାଟ୍ସଆପ୍ ମାଧ୍ୟମରେ ମେସେଜ୍ କରିପାରିବେ। ଏହି ନମ୍ବର ଜରିଆରେ ୨୪ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କିମ୍ବା ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯାଉଥିବାବେଳେ ଏହି ସେବାକୁ ଏକ ଏ.ଆଇ. ଚାଟ୍‌ବୋଟ୍ ସହିତ ମଧ୍ୟ ସଂଯୁକ୍ତ କରାଯାଉଛି। ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ସେବା ପକ୍ଷରୁ ସମସ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କଣ୍ଟାକ୍ଟ-ଲେସ୍, ୱେବ୍-ଆଧାରିତ ଏବଂ ସ୍ୱଚ୍ଛ କରାଯାଇଛି, ଯାହାକି ଏକ ସୁରକ୍ଷିତ ତଥା ବିକଶିତ ଓଡ଼ିଶା ଗଠନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS