ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା
ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଭାଜପା ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ୫ଲକ୍ଷ ୧୨ହଜାରରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସଂକ୍ରାନ୍ତୀୟ ଫାଇଲକୁ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଖୁବ୍ଶୀଘ୍ର ଏନେଇ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ଏହାପରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯିବ ବୋଲି ମନ୍ତ୍ରିମଣ୍ଡଳର ଜଣେ କ୍ୟାବିନେଟ୍ ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ହିତାଧିକାରୀଙ୍କ ଡାଟାବେସ୍ ଏବଂ ପୋର୍ଟାଲ ପ୍ରସ୍ତୁତ ପ୍ରକ୍ରିୟା ଜୋରଦାର ହୋଇଛି। ଏତେ ସଂଖ୍ୟକ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବା ପାଇଁ ସରକାରଙ୍କ ପକ୍ଷରୁ ଖୁବ୍ଶୀଘ୍ର ଏକ ସ୍ବତନ୍ତ୍ର ଦିନ ଧାର୍ଯ୍ୟ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିବେ। ଉଲ୍ଲେଖଯୋଗ୍ୟ, ମୌସୁମୀ ବିଧାନସଭା କାଳରେ ବିଧାୟକ ମାନସ କୁମାର ଦତ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ରାଜ୍ୟରେ ଏବେ ସୁଦ୍ଧା କେତେ ସଂଖ୍ୟକ ଆଶାୟୀ ଭତ୍ତା ପାଇବାପାଇଁ ଆବେଦନ କରିଛନ୍ତି। କେବେ ସୁଦ୍ଧା ଅନୁମୋଦନ ହେବ ଏବଂ ମିଳିବ ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ ଗଣ୍ଡ କହିଥିଲେ, ରାଜ୍ୟରେ ଅଦ୍ୟାବଧି ୫ଲକ୍ଷ ୧୪ହଜାର ୨୬୭ଜଣ ଆଶାୟୀ ଭତ୍ତା ପାଇଁ ଅନ୍ଲାଇନରେ ଆବେଦନ କରିଛନ୍ତି। ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ, ଅକ୍ଟୋବରରୁ ପେନ୍ସନ ଦେବାକୁ ଯୋଜନା ରହିଛି। ଜିଲାରୁ ପ୍ରାପ୍ତ ତଥ୍ୟକୁ ନେଇ ଯାଞ୍ଚ କରାଯାଇ ଭତ୍ତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ତେବେ ଯାଞ୍ଚ ପରେ ପ୍ରାୟ ୨ହଜାର ହିତାଧିକାରୀ ବାଦ୍ ପଡ଼ିବାକୁ ଯାଉଥିବା ଜଣାଯାଇଛି। ତେବେ ଏ ବାବଦକୁ ସରକାର ପ୍ରାୟ ୭୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଭାର ବୋହିବାକୁ ପଡ଼ିବ। ଚଳିତମାସ ୧୫ ତାରିଖ ସୁଦ୍ଧା ଭତ୍ତା ବଣ୍ଟନ କରାଯିବ ବୋଲି ସମ୍ପୃକ୍ତ କ୍ୟାବିନେଟ୍ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق