*୮ଟାର ଡାକ୍ତର ୧୦ଟାରେ! ରୋଗୀ ଘଣ୍ଟା ଘଣ୍ଟା ଲାଇନରେ, ଔଷଧ ପାଇଁ ବି ଦୌଡ଼ୁଛନ୍ତି ବାହାରକୁ*
*କଟକ ନୟାବଜାର ପୋତାପୋଖରୀ କୁଷ୍ଠ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା ଅଭିଯୋଗ — ସ୍ୱାସ୍ଥ୍ୟସେବା ନାଁରେ ରୋଗୀଙ୍କୁ ଅପେକ୍ଷାର ଯନ୍ତ୍ରଣା!*
*କଟକ: ସକାଳ ୮ଟାରେ ଡାକ୍ତର ଆସିବା କଥା, ହେଲେ ଆସୁଛନ୍ତି ୧୦ଟାରେ। ଡାକ୍ତରଙ୍କୁ ଅପେକ୍ଷା କରି ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେଉଛନ୍ତି ରୋଗୀ। ଏପଟେ ଆବଶ୍ୟକ ଔଷଧ ବି ମିଳୁନି, ଗୋଟିଏ ଔଷଧ ଥିଲେ ଅନ୍ୟଟି ନାହିଁ। ଫଳରେ ବାହାର ଔଷଧ ଦୋକାନରୁ ନିଜ ଖର୍ଚ୍ଚରେ ଔଷଧ କିଣିବାକୁ ପଡୁଛି। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଟକ ନୟାବଜାର ପୋତାପୋଖରୀ ଅଞ୍ଚଳରେ ଥିବା କୁଷ୍ଠ ଚିକିତ୍ସାଳୟକୁ ନେଇ।*
*ସକାଳୁ ସକାଳୁ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚୁଛନ୍ତି ରୋଗୀ। କିନ୍ତୁ ନିର୍ଦ୍ଧାରିତ ସମୟରେ ଡାକ୍ତର ନଆସିବାରୁ ଦୀର୍ଘ ସମୟ ଧରି ଅପେକ୍ଷା କରୁଛନ୍ତି ରୋଗୀମାନେ। ଅସୁସ୍ଥ ଓ ବୟସ୍କ ରୋଗୀଙ୍କ ଯନ୍ତ୍ରଣା ଆହୁରି ବଢ଼ିଯାଉଛି।*
*ସମସ୍ୟା ଏତିକିରେ ସରୁନାହିଁ। ହସ୍ପିଟାଲରେ ଆବଶ୍ୟକ ଔଷଧର ଅଭାବ ଥିବା ମଧ୍ୟ ଅଭିଯୋଗ ହେଉଛି। ଗୋଟିଏ ଔଷଧ ମିଳୁଥିବା ବେଳେ ଅନ୍ୟ ଔଷଧ ନଥିବାରୁ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ ପଡୁଛି। ସରକାରୀ ଚିକିତ୍ସାଳୟକୁ ଆଶା ନେଇ ଆସୁଥିବା ରୋଗୀ ଯଦି ଔଷଧ ପାଇଁ ବାହାର ଦୋକାନକୁ ଦୌଡ଼ିବେ, ତେବେ ସରକାରୀ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ର କ’ଣ—ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।*
*ରୋଗୀଙ୍କ ଅଭିଯୋଗ, ସମୟରେ ଡାକ୍ତର ଆସୁନାହାନ୍ତି, ଆବଶ୍ୟକ ଔଷଧ ମିଳୁନାହିଁ, ଆଉ ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏଭଳି ପରିସ୍ଥିତିରେ ହସ୍ପିଟାଲ ପ୍ରଶାସନର ଭୂମିକାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।*
*ଏବେ ପ୍ରଶ୍ନ ଉଠୁଛି—ରୋଗୀଙ୍କ ପାଇଁ ହସ୍ପିଟାଲ ନା ହସ୍ପିଟାଲ ପାଇଁ ରୋଗୀ? ସମୟାନୁବର୍ତ୍ତିତା, ଔଷଧ ଯୋଗାଣ ଓ ରୋଗୀ ସେବାରେ ଏଭଳି ଅବ୍ୟବସ୍ଥା କେତେଦିନ ଚାଲିବ? ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଏନେଇ କେବେ ନେବେ ଠୋସ ପଦକ୍ଷେପ, ତାହା ଏବେ ଅପେକ୍ଷାରେ ରୋଗୀ ଓ ସେମାନଙ୍କ ପରିବାର।*
*ଘଣ୍ଟା ଘଣ୍ଟା ଲାଇନରେ ରୋଗୀ, ବିଳମ୍ବରେ ଡାକ୍ତର ଏବଂ ଔଷଧ ପାଇଁ ବାହାର ଦୋକାନ—ଏହି କି ସରକାରୀ ସ୍ୱାସ୍ଥ୍ୟସେବାର ଚିତ୍ର?
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment