BREAKING
Loading...
:

କୋଲ୍ଡଡ୍ରିଙ୍କ୍ସରୁ ମ୍ୟାଗି...ସବୁଥିରେ ବୋଳାହେବ ଲାଲ୍ ରଙ୍ଗ ; ଆଉ ବ୍ୟାପିବନି ଭେଜାଲ୍ ଭାଇରସ୍

 କୋଲ୍ଡଡ୍ରିଙ୍କ୍ସରୁ ମ୍ୟାଗି...ସବୁଥିରେ ବୋଳାହେବ ଲାଲ୍ ରଙ୍ଗ ; ଆଉ ବ୍ୟାପିବନି ଭେଜାଲ୍ ଭାଇରସ୍ !



ବଜାରରେ ଏବେ ଗୋଟିଏ ଭାଇରସ୍ ବ୍ୟାପିଗଲାଣି ଯାହାକୁ ଆମେ 'ଭେଜାଲ୍' ବୋଲି କହୁଛେ । କ୍ଷୀରଠୁ ଆରମ୍ଭ କରି ପନିର୍, ମସଲାଠୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଯାହାକୁ ଛୁଇଁବ ସବୁଥିରେ ଭେଜାଲର ମୁଖା ଲାଗିଛି । ହେଲେ ଲୋକ ଭେଜାଲ୍ ସାମଗ୍ରୀକୁ କେମିତି ଚିହ୍ନିବେ ଏହାକୁ ନେଇ ଏକ ଖବର ଏବେ ସାମ୍ନାକୁ ଆସୁଛି ।


ଆପଣ ବଜାରରୁ କିଣୁଥିବା ଚିପ୍ସ, ବିସ୍କୁଟ୍ କିମ୍ବା କୋଲ୍ଡ ଡ୍ରିଙ୍କସ କେତେ ପରିମାଣରେ ହିତକର ସେ ବିଷୟରେ ଜାଣିବା ପାଇଁ ଆଉ ପ୍ୟାକେଟ୍ ପଛପଟେ ଲେଖାଯାଇଥିବା ଛୋଟ ଛୋଟ ଅକ୍ଷରଗୁଡ଼ିକୁ ପଢ଼ିବାକୁ ପଡ଼ିବ ନାହିଁ । ଭାରତରେ ବିକ୍ରି ହେଉଥିବା ବିଭିନ୍ନ ଖାଦ୍ୟସାମଗ୍ରୀ ପ୍ୟାକେଟ୍ ଆଗରେ ଏବେ 'ଲାଲ୍ ରଙ୍ଗର ଚେତାବନୀ ଚିହ୍ନ' ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ଖାଦ୍ୟରେ ଚିନି, ଲୁଣ କିମ୍ବା ଫ୍ୟାଟର ପରିମାଣ ନିର୍ଦ୍ଧାରିତ ସୀମାରୁ ଅଧିକ ଥିଲେ ପ୍ୟାକେଟ୍ ଉପରେ ଏହି ଲାଲ୍ ସଙ୍କେତ ଦେଖିବାକୁ ମିଳିବ । ଦେଶରେ ଡାଇବେଟିସ୍, ମୋଟାପଣ ଏବଂ ହୃଦ୍‌ରୋଗ ଭଳି ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି।


ସୁପ୍ରିମକୋର୍ଟରେ FSSAI ପକ୍ଷରୁ ଦାଖଲ କରାଯାଇଥିବା ଏହି ପ୍ରସ୍ତାବ ଅନୁଯାୟୀ ପ୍ୟାକେଟର ଆଗପଟେ ଏକ ଲାଲ୍ ରଙ୍ଗର ଷଡ଼ଭୁଜ ଆକୃତିର ସଙ୍କେତ ରହିବ । ଯେଉଁଥିରେ ଅଧିକ ଚିନି,ଲୁଣ କିମ୍ବା ଫ୍ୟାଟ୍ ବୋଲି ସ୍ପଷ୍ଟ ଭାବେ ଲେଖାଯିବ। ଅନେକ ସମୟରେ ଗ୍ରାହକ ପ୍ୟାକେଟ୍ ପଛରେ ଥିବା ପୋଷକ ତତ୍ତ୍ୱକୁ ସହଜରେ ବୁଝିପାରନ୍ତି ନାହିଁ । ଏହି ଲାଲ୍ ଚିହ୍ନ ଦ୍ୱାରା ଜଣେ ଗ୍ରାହକ ଦୋକାନରୁ ଜିନିଷଟିଏ କିଣିବା ସମୟରେ ହିଁ ସେହି ଖାଦ୍ୟପଦାର୍ଥ ବିଷୟରେ ତୁରନ୍ତ ସଚେତନ ହୋଇପାରିବେ ଏବଂ ଏହା ସେମାନଙ୍କୁ ସଠିକ୍ ଚୟନ କରିବାରେ ସାହାଯ୍ୟ କରିବ। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନର ୨୦୨୪ ଡାଏଟାରୀ ଗାଇଡଲାଇନରେ ମଧ୍ୟ ଅତ୍ୟଧିକ ପ୍ରୋସେସଡ୍ ଫୁଡ୍ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ସାଧାରଣତଃ କାରଖାନାରେ ପ୍ରସ୍ତୁତ ଏହିସବୁ ଖାଦ୍ୟରେ ଆବଶ୍ୟକୀୟ ଫାଇବର୍ ଓ ପୋଷକ ତତ୍ତ୍ୱ କମ୍ ଥାଏ ଏବଂ କୃତ୍ରିମ ଉପାଦାନ, ଅତ୍ୟଧିକ କ୍ୟାଲୋରୀ, ଲୁଣ ଓ ଚିନିର ପରିମାଣ ଅଧିକ ଥାଏ। ୧୦୦ ଗ୍ରାମ୍ ଖାଦ୍ୟରେ ୩ ଗ୍ରାମରୁ ଅଧିକ ଚିନି କିମ୍ବା ୦.୬୨୫ ଗ୍ରାମରୁ ଅଧିକ ଲୁଣ ଥିଲେ ତାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ଗ୍ରାହକଙ୍କ ଆହାରକୁ ସନ୍ତୁଳିତ ରଖିବା ପାଇଁ ଏହି ଚେତାବନୀ ବହୁତ ଜରୁରୀ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS