*ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ। ନିର୍ବାଚନକୁ ଆଉ ବର୍ଷରୁ କମ୍ ସମୟ ଥିବା ବେଳେ କସରତ ଆରମ୍ଭ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ। ପିସିସି ସଭାପତି ଭକ୍ତ ଦାସ ଗଠନ କରିଛନ୍ତି ନୂଆ ଟିମ୍। ବିଜେଡି ମଧ୍ୟ ନିର୍ବାଚନକୁ ସାମ୍ନା କରିବାକୁ ସବୁବେଳେ ପ୍ରସ୍ତୁତ ଥିବା କହିଥିବା ବେଳେ ବିଜେପି ଆରମ୍ଭ ହୋଇଥିବା ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ। ରାଜନୈତିକ ସମୀକ୍ଷକଙ୍କ ମତରେ ଜେନ-ଜିଙ୍କୁ ସବୁ ରାଜନୈତିକ ଦଳ ଦେଇପାରନ୍ତି ଗୁରୁତ୍ବ।*
୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ, ଓଡ଼ିଶା ରାଜନୀତିର ସବୁଠୁ ବଡ଼ ପରୀକ୍ଷା। ଆଉ ଏହି ମହାପରୀକ୍ଷାରେ ପାସ୍ ହେବାକୁ ଏବେଠୁ କସରତ ଆରମ୍ଭ କଲେଣି ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ। କେମିତି ଲଢିବେ, କାହାକୁ ମିଳିବ ଗୁରୁତ୍ବ ? ଯୁବ ନା ବରିଷ୍ଠ ? ରଣନୀତି କରିବାକୁ ମାନସମନ୍ଥନ ଆରମ୍ଭ କରିଛି ବିଜେପି। ଐତିହାସିକ ସହର କଟକରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ଯେଉଁଠି ଯୋଗ ଦେଉଛନ୍ତି ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲଙ୍କ ସମେତ ଶୀର୍ଷ ନେତୃତ୍ୱ।
୨୦୨୪ରେ ଓଡ଼ିଶାରେ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିଥିଲା ବିଜେପି। ଏବେ ଟାର୍ଗେଟ୍ ତୃଣମୂଳରେ ନିଜ ସଂଗଠନକୁ ଆହୁରି ମଜବୁତ କରିବା। ରାଜ୍ୟ କାର୍ଯ୍ୟକାରିଣୀରେ ସଂଗଠନ ନେଇ ଆଲୋଚନା ହେବ, ଆଗାମୀ ରଣନୀତି ଉପରେ କରାଯିବ ମାନସମନ୍ଥନ। ଆଉ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ତିଆରି ହେବ ବିଜେପିର ବ୍ଲୁ ପ୍ରିଣ୍ଟ।
ସେପଟେ ନୂଆ ସୂର୍ଯ୍ୟୋଦୟ ଆଶାରେ କଂଗ୍ରେସ କରିଛି ବଡ଼ ପ୍ଲାନ୍। ଓଡ଼ିଶା ପର୍ଯ୍ୟବେକ୍ଷକ ଲାଲାଜି ଦେଶାଇଙ୍କ ଅଧ୍ୟକ୍ଷତାରେ ଘୋଷଣା ହୋଇଛି ୧୮୪ ଜଣିଆ ବିଶାଳ ଟିମ୍। ରାଜନୈତିକ ବ୍ୟାପାର କମିଟିରେ ୨୯ ବରିଷ୍ଠ ନେତା ଥିବା ବେଳେ କାର୍ଯ୍ୟକାରୀ କମିଟିରେ ୭୧, ଉପଦେଷ୍ଟା କମିଟିରେ ୪୦ ଜଣ ଅଛନ୍ତି। ସେହିପରି ଟିମରେ ଅଛନ୍ତି ୧୫ ଉପସଭାପତି ଓ ୫୭ ସାଧାରଣ ସମ୍ପାଦକ।
ବରିଷ୍ଠଙ୍କୁ ସମ୍ମାନ ସହ ଜେନ୍-ଜି ଓ ଯୁବବର୍ଗଙ୍କୁ ଗୁରୁତ୍ବ ଦେଇ କଂଗ୍ରେସ ଟିମ୍ ଘୋଷଣା କରି ସଂଗଠନ ସଜାଡ଼ୁଛି। ଅନ୍ୟପଟେ ବିଜେଡି କହୁଛି, ଆମେ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ନବୀନଙ୍କ ନେତୃତ୍ୱରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନ ଲଢିବ।
ରାଜନୀତିର ପଶାପାଲିରେ ଏଥର ସବୁଠୁ ବଡ଼ ଟ୍ରମ୍ପ କାର୍ଡ ସାଜିବେ ଯୁବପିଢ଼ି। ରାଜନୈତିକ ସମୀକ୍ଷକଙ୍କ ମତରେ, ଆଗାମୀ ନିର୍ବାଚନରେ ଜେନ୍-ଜି ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ପ୍ରାଣପଣେ ଚେଷ୍ଟା କରିବେ। ଯିଏ ସେମାନଙ୍କ ଆଶା ଓ ଆକାଂକ୍ଷାକୁ ବୁଝିପାରିବ, ସଫଳତାର ଚାବିକାଠି ତାଙ୍କରି ହାତରେ ହିଁ ଲାଗିବ। ନିର୍ବାଚନକୁ ସମୟ ଅଛି, କିନ୍ତୁ ରାଜନୀତିରେ ରଣନୀତିର ସମୟ ଆରମ୍ଭ ହୋଇଗଲାଣି। ଦେଖିବାର କଥା ପଞ୍ଚାୟତ ଓ ପୌର ନିର୍ବାଚନ ଟେଷ୍ଟରେ କିଏ ମାରୁଛି ବାଜି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق