*ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ଖବର। ଆଉ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍-କିଷାନ ଯୋଜନା। ଏନେଇ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି।*
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍-କିଷାନ ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ବଢ଼ାଇବାକୁ ଅନୁମୋଦନ ମିଳିଛି। ଏହି ବିସ୍ତାର ପାଇଁ ସରକାର ୩ ଲକ୍ଷ ୧୫ ହଜାର କୋଟି ଟଙ୍କା ବ୍ୟୟ କରିବେ। ଯୋଜନା ଅନୁସାରେ ଯୋଗ୍ୟ ଚାଷୀ ପରିବାରଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ତିନୋଟି କିସ୍ତିରେ ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯିବ।
୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏପର୍ଯ୍ୟନ୍ତ ୪ ଲକ୍ଷ ୪୭ ହଜାର କୋଟି ଟଙ୍କାରୁ ଅଧିକ ରାଶି ଚାଷୀଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଇଛି। ସରକାରଙ୍କ କହିବା ଅନୁସାରେ, ଏହି ସହାୟତା ଚାଷୀଙ୍କୁ ବିହନ, ସାର, ଜଳସେଚନ ଓ କୃଷି ଉପକରଣ କିଣିବାରେ ସହାୟକ ହେଉଛି। ନୀତି ଆୟୋଗର ମୂଲ୍ୟାଙ୍କନରେ ମଧ୍ୟ ଯୋଜନାର ସକାରାତ୍ମକ ପ୍ରଭାବ ସାମ୍ନାକୁ ଆସିଛି। ସରକାରଙ୍କ ଆଶା, ଏହି ନିଷ୍ପତ୍ତି ଚାଷୀଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment