ଗଛକୁ ଧକ୍କା ଦେଲା କାର୍: ଜଣେ ମୃତ, ୨ ଗୁରୁତର
ବୌଦ୍ଧ:- ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପୁରୁଣାକଟକ ଥାନା ଅନ୍ତର୍ଗତ ଡିଗୀଶିରା ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପୁରୁଣାକଟକ ଅଞ୍ଚଳର ଅଶ୍ବିନୀ ଘୋଷ । ଗୁରୁତର ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଶିକ୍ଷକ ଶ୍ରୀନିବାସ କହଁର ଏବଂ ଅନ୍ୟଜଣେ ପିଇଓ ଦିଲୀପ ମଲିକ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, କାର୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଗାଡ଼ିଟି ରାସ୍ତା କଡ଼କୁ ଚାଲିଯାଇ ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସି ଆହତମାନଙ୍କୁ ଉଦ୍ଧାର କରିଥିଲେ । ଦୁଇ ଗୁରୁତର ଆହତଙ୍କୁ ତୁରନ୍ତ ପୁରୁଣାକଟକ ଡାକ୍ତରଖାନାକୁ ପଠାଯାଇଥିଲା । ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଡମ୍ବରୁଧର କହଁର ଖବର ପାଇ ଡାକ୍ତରଖାନାରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଏବଂ ଏଥିପାଇଁ ଅନ୍ୟ କୌଣସି କାରଣ ଦାୟୀ କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment