BREAKING
Loading...
:

ବଲାଙ୍ଗୀର ଜିଲ୍ଲାରେ ପୁଣି ଚାଞ୍ଚଲ୍ୟ : ଉପଖଣ୍ଡ ଡାକ୍ତରଖାନାରେ ଅବହେଳା, ନବଜାତ ଶିଶୁ ମୃତ

 




ବଲାଙ୍ଗୀର ଜିଲ୍ଲାରେ ପୁଣି ଚାଞ୍ଚଲ୍ୟ : ଉପଖଣ୍ଡ ଡାକ୍ତରଖାନାରେ ଅବହେଳା, ନବଜାତ ଶିଶୁ ମୃତ

ବଲାଙ୍ଗୀର, -: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ପୁଣିଥରେ ଅବହେଳା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନବଜାତ ଶିଶୁର ମୃତ୍ୟୁ ଘଟଣା ପରେ ଡାକ୍ତରଖାନାର ପରିଚାଳନା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ବାରମ୍ବାର ଅବ୍ୟବସ୍ଥା ଓ ଅବହେଳା ଦେଖିବାକୁ ମିଳୁଛି। କେବେ ଡାକ୍ତରଙ୍କ ଅନୁପସ୍ଥିତି, କେବେ ମଦ୍ୟପ ଅବସ୍ଥାରେ ଔଷଧ ବଣ୍ଟନ, ତ ଆଉ କେବେ ରୋଗୀଙ୍କ ପରିବାର ସଦସ୍ୟଙ୍କ ସହ ଦୁର୍ବ୍ୟବହାର ଭଳି ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି।

ଉପଖଣ୍ଡ ମେଡିକାଲ ଅଧିକାରୀଙ୍କ କହିବା ଅନୁଯାୟୀ, ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବ ଥିବାରୁ ସଠିକ୍ ଭାବେ ପରିଚାଳନା କରିବାରେ ସମସ୍ୟା ହେଉଛି। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ଉପଲବ୍ଧ କର୍ମଚାରୀମାନେ ମଧ୍ୟ ନିଜ ଦାୟିତ୍ୱ ସଠିକ୍ ଭାବେ ପାଳନ କରୁନାହାନ୍ତି।

ଡାକ୍ତରଖାନା ପରିସର ଏବଂ ଶୌଚାଳୟ ନିୟମିତ ସଫାସୁତରା ରଖିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ଏହି ପରିସ୍ଥିତିକୁ ନଜରରେ ରଖି କୋଶଳ ମୁକ୍ତି ମୋର୍ଚ୍ଚାର ସଭାପତି ଡିଙ୍ଗର କୁମ୍ଭାର, ସ୍ଥାନୀୟ ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ସାମ୍ବାଦିକମାନେ ଡାକ୍ତରଖାନା ପରିଦର୍ଶନ କରିଥିଲେ। ସେମାନେ ଫିନାଇଲ, ହ୍ୟାଣ୍ଡୱାସ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପ୍ରଦାନ କରି ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟସେବା ପ୍ରତି ସଚେତନତା ସୃଷ୍ଟି କରିଥିଲେ।

ନବଜାତ ଶିଶୁର ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଡାକ୍ତରଖାନାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସୁଧାର ଆଣିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS