BREAKING
Loading...
:

ପଞ୍ଚାୟତ ଭୋଟ ଆଗରୁ ଆଭ୍ୟନ୍ତରୀଣ ସଂଘର୍ଷ, ଆଶା ବାନ୍ଧି ବସିଥିଲେ ପୁରୁଣା, ପଶିଲେଣି ମାଳମାଳ ନୂଆ...

 ପଞ୍ଚାୟତ ଭୋଟ ଆଗରୁ ଆଭ୍ୟନ୍ତରୀଣ ସଂଘର୍ଷ, ଆଶା ବାନ୍ଧି ବସିଥିଲେ ପୁରୁଣା, ପଶିଲେଣି ମାଳମାଳ ନୂଆ...



ସବୁଠି ନୂଆ- ପୁରୁଣା ବିବାଦ । ପୁରୁଣା ଆଶା ବାନ୍ଧି ବସିଥିଲେ । ହଠାତ୍ ପଲପଲ ହୋଇ ନୂଆ ମାଡ଼ି ଆସୁଛନ୍ତି । ସଭିଙ୍କ ନଜର କ୍ଷମତା ଆସନ ଉପରେ । ଏହାକୁ ନେଇ ରାଜ୍ୟ ସ୍ତରରୁ ତୃଣମୂଳ ଯାଏଁ ନୂଆ-ପୁରୁଣା ନେତା, କର୍ମୀଙ୍କ ଭିତରେ ଛକାପଞ୍ଝା ତେଜିଛି । ଯେବେଠୁ ବିଜେପି କ୍ଷମତାକୁ ଆସିଛି, ସେବେଠୁ ପଦ୍ମ ଦଳ ସଭିଙ୍କ ଫେଭରାଇଟ ।


ଉପରୁ ତଳ ସ୍ତର ଯାଏଁ ବିଜେଡି ଓ କଂଗ୍ରେସର ବହୁ ନେତା, କର୍ମୀ ବିଜେପି ମୁହାଁ । ବିଜେଡି କ୍ଷମତାରୁ ହଟିବା ପରେ ପରେ ଦଳର ୨ ରାଜ୍ୟସଭା ସାଂସଦ ବିଜେପିକୁ ପଳାଇଥିଲେ । ଏବେ ଦେବାଶିଷ ସାମନ୍ତରାୟ ବି ରାଜ୍ୟସଭା ପଦ ସହ ବିଜେଡି ଛାଡ଼ିଦେଲେ । ଖୁବଶୀଘ୍ର ବିଜେପିରେ ମିଶିଲେ ।


ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ବିଧାୟକ କ୍ରସ ଭୋଟିଂ କଲେ । ସେଥିରୁ ଅଧିକାଂଶ ବିଜେପି ଯୋଗାଯୋଗରେ । କେବଳ ବିଧାୟକ ପଦ ରବ୍ଦ ହୋଇଯିବା ଭୟରେ ଏଯାଏଁ ମିଶିପାରିନାହାନ୍ତି । ବହୁ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ବି ବିଜେପିରେ ସାମିଲ ହେଲେଣି । ତୃଣମୂଳ ସ୍ତରରେ ବିଜେପିରେ ମିଶିବାକୁ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ଭିତରେ ଯେମିତି ପ୍ରତିଯୋଗିତା ଚାଲିଛି । ସରକାର ବଦଳିବା ପରେ ଏବେ ସୁଦ୍ଧା ପ୍ରାୟ ୧୮ଟି ବ୍ଲକ ବିଜେଡିରୁ ହାତରୁ ବିଜେପିକୁ ପଳାଇଲାଣି । ଏହାକୁ ନେଇ ବିଭିନ୍ନ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ରାଜନୀତିରେ ଟଣାଓଟରା ବଢ଼ିଲାଣି । 


  ତଳସ୍ତରରେ ପୁରୁଣା ବିଜେପି ନେତା ଓ କର୍ମୀ ସେମାନଙ୍କୁ ଗ୍ରହଣ କରିପାରୁ ନାହାନ୍ତି । ଆଗାମୀ ପଞ୍ଚାୟ ତ ଓ ପୌର ନିର୍ବାଚନରେ କାଳେ ନୂଆ ଗୋଷ୍ଠୀ ନେତୃତ୍ୱଙ୍କ ଆଶୀର୍ବାଦ ପାଇଯିବେ, ସେଇ ଡର ପୁରୁଣାଙ୍କୁ ଘାରିଛି । ଏଭଳି ସ୍ଥିତି ବର୍ତ୍ତମାନ ରାଜ୍ୟର ସବୁ ଅଞ୍ଚଳରେ । ୨୦୨୨ର ପଞ୍ଚାୟତ ଫଳାଫଳ ଏକତରଫା ଥିଲା । ୮୫୨ରୁ ୭୬୬ ଜିଲ୍ଲା ପରିଷଦ ଜୋନ୍ ଥିଲା ବିଜେଡି କବ୍ଜାରେ । ବିଜେପି ୪୨, କଂଗ୍ରେସ ୩୭ଟି ଜୋନ୍ ଜିତିଥିଲା । ୩୧୪ରୁ ୨୭୮ ବ୍ଲକ ଦଖଲ କରିଥିଲା ଶଙ୍ଖ ଦଳ । ୨୧ଟିରେ ବିଜେପି ଏବଂ ୧୩ଟି ବ୍ଲକରେ କଂଗ୍ରେସ ସମର୍ଥିତ ଏବଂ ୩ଟି ବ୍ଲକରେ ସିପିଆଇଏମ୍ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ସମସ୍ତ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ବିଜେଡିର ଥିଲେ ।


ପଞ୍ଚାୟତ ନିର୍ବାଚନକୁ ଆଉ ବେଶି ଡେରି ନାହିଁ । ୨୦୨୭ ଫେବ୍ରୁଆରୀ ସୁଦ୍ଧା ନିର୍ବାଚନ ହେବ । ଏବେଠାରୁ ଗାଁ ରାଜନୀତି ମୋଡ଼ ନେଲାଣି । କାଲି ଯାଏଁ ଯେଉଁଠି ବିଜେଡି ଗଡ଼ ଥିଲା, ସେଇଠି ବିଜେପି ପତାକା ଉଡ଼ିଲାଣି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବଳରେ ଜିତିଥିବା ସରପଞ୍ଚ, ସମିତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ବର୍ତ୍ତମାନ ଶାସକ ଦଳ ଆଡ଼କୁ ଢଳୁଛନ୍ତି । ହେଲେ ମୂଳ ବିଜେପି ନେତା, କର୍ମୀମାନେ ସହଜରେ ସେମାନଙ୍କ ପ୍ରବେଶକୁ ଗ୍ରହଣ କରିପାରୁ ନାହାଁନ୍ତି। କାଳେ ନିଜ ପତ୍ତା କଟିଯିବ, ସେଇ ଡର ସଭିଙ୍କୁ ଘାରିଛି । ବର୍ଷ ବର୍ଷ ଧରି ଯାହା ସହ ଲଢ଼ିଥିଲେ, ସେମାନଙ୍କୁ ପୁଣି କ୍ଷମତାସୀନ କରାଇବାକୁ ଦଳର ପୁରୁଣା କର୍ମୀ ରାଜି ନୁହନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS