ସିନାପାଲି ବ୍ଲକରେ ସ୍ୱଚ୍ଛତାକୁ ନେଇ ବଡ଼ ବୈଠକ, ପ୍ରତ୍ୟେକ ଗାଁରେ ଅଭିଯାନ
ସିନାପାଲି, /-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀମତୀ କାର୍ମି ଓରାମଙ୍କ ତତ୍ୱାବଧାନରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ସିନାପାଲି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ।
ବୈଠକରେ ସିନାପାଲି ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମରେ ବିଶାଳ ସ୍ୱଚ୍ଛତା ଅଭିଯାନ କରାଯିବାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମଗୁଡ଼ିକୁ ସଫା ସୁତୁରା ଓ ସୁନ୍ଦର ରଖିବା ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏହି ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି ଅଭିଯାନ ଅନ୍ତର୍ଗତ ଗ୍ରାମର ମୁଖ୍ୟ ରାସ୍ତା, ଗଲିପଥ, ନାଳା ଓ ସାଧାରଣ ସ୍ଥାନଗୁଡ଼ିକରେ ଜମା ହୋଇଥିବା ଅଳିଆ ଆବର୍ଜନାକୁ ସଫା କରାଯିବା ସହିତ ଗ୍ରାମବାସୀମାନଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ସଚେତନ କରାଯିବାକୁ ମଧ୍ୟ ଆଲୋଚନା କରାଯାଇଥିଲା।
ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀମତୀ କାର୍ମି ଓରାମ ବୈଠକରେ ବ୍ଳକ ସମ୍ବଳ ସଂଯୋକ ପରିମଳ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ପୁଣ୍ଡୁରୀ କାକ୍ଷ ହୋତା ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ପରିଡ଼ା ଉପସ୍ଥିତ ସମସ୍ତ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଜ ନିଜ ଗ୍ରାମପଞ୍ଚାୟତରେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ସହ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ଏହି ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ମଧ୍ୟ ଜଣାଇଥିଲେ।
ଏହା ସହିତ ଗ୍ରାମ ସ୍ତରରେ ଲୋକମାନଙ୍କ ସହଭାଗିତା ବଢ଼ାଇ ଏହି ସ୍ୱଚ୍ଛତା ଅଭିଯାନକୁ ଏକ ଜନଆନ୍ଦୋଳନର ରୂପ ଦେବା ପାଇଁ ମଧ୍ୟ ବୈଠକରେ ମତ ପ୍ରକାଶ ପାଇଥିଲା। ବୈଠକରେ ଉପସ୍ଥିତ ସମସ୍ତେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ।
ଏହି ବିଶାଳ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ସିନାପାଲି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଲକ୍ଷ୍ୟ ରଖାଯାଇଥିବା ବୋଲି ଜଣାପଡ଼ିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق