*ଅବହେଳିତ ଅବସ୍ଥାରେ ବାଲିମେଳା ମିନି ଷ୍ଟାଡିୟମ*
ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ବିଭିନ୍ନ କୋଠରୀ ଓ ପାଇଖାନା
ପାଲଟିଛି ନିଶାସକ୍ତଙ୍କ ଆଡାସ୍ଥଳୀ
ପୁନଃ ନିର୍ମାଣ ଦାବୀ କଲେ ଅଞ୍ଚଳବାସୀ
ବାଲିମେଳା ,
ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇ ନମ୍ବର ୱାର୍ଡ ତଥା ଅଫିସର ଲାଇନରେ ଥିବା ଖେଳ ପଡିଆରେ ପ୍ରାୟ ୧୦ ବର୍ଷ ପୂର୍ବେ ବାଲିମେଳା ଏନଏସି ପକ୍ଷରୁ ନିର୍ମାଣ ହୋଇଥିବା ମିନି ଷ୍ଟାଡିୟମ ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡି ରହିଛି।ଏହି ମିନି ଷ୍ଟାଡିୟମ ଏ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ହୋଇନଥିବା ବେଳେ ଏଠାରେ ପ୍ରାୟ ୨୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ଷ୍ଟାଡିୟମ କୋଠାରେ ଖେଳାଳି ମାନେ କ୍ରୀଡା ସାମଗ୍ରୀ ରଖି ଆଦୌ ବିଶ୍ରାମ ମଧ୍ୟ ନେଇନଥିବା ଅଭିଯୋଗ ହୋଇଛି।
ଏହି ଷ୍ଟାଡିୟମ କୋଠାଟିର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ
କୋଠା ନିର୍ମାଣ ହେବାର କିଛି ମାସ ପରେ ଉକ୍ତ କୋଠରୀ ଗୁଡିକର କବାଟ ଓ ଝରକା ଭାଙ୍ଗି ଗଳି ପଡିବା ସହିତ ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କରିବା ସହ ଘରର ଚଟାଣ ସମ୍ପୂର୍ଣ ଭାବେ ଦବି ଯାଇଛି। ଖାଲି ଏତିକି ନୁହେଁ କୋଠରୀ ଗୁଡିକର ଛାତରୁ କଂକ୍ରିଟ ଖସି ଲୁହା ରଡ଼ ବାହାରି ପଡିଛି। ଭିତରେ ଥିବା ପାଇଖାନା କଥା ନ କହିବା ଭଲ। ପାଇଖାନା ଘରର କବାଟ ନ ଥିବା ଯୋଗୁ ଏହା ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରର ପଡି ରହିଛି।ଏହି ଷ୍ଟାଡିୟମର ଅଧିକାଂଶ କୋଠରୀରେ କବାଟ ନଥିବାରୁ ଏହା ବର୍ତ୍ତମାନ କେତେକ ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡାସ୍ଥଳୀ ପାଲଟିଛି।ଏହି କୋଠରୀ ଗୁଡିକରେ ଗାଇ, ଗୋରୁ ସେଠାରେ ଶୋଉଥିବା ଏବଂ ଝାଡା ପରିସ୍ରା କରିଥିବା ଦେଖିବାକୁ ମିଳିଛି।ମୁଖ୍ୟତଃ
ଏନଏ ସି କତୃପକ୍ଷ ଏହି ମିନି ଷ୍ଟାଡିୟମର ଉଚିତ ରକ୍ଷଣା ବେକ୍ଷଣ କରାଯାଉ ନଥିବା ଯୋଗୁ ଏହି ଷ୍ଟାଡିୟମର ଏପରି ଦୟନୀୟ ଅବସ୍ଥା ସୃଷ୍ଟି ହୋଇଥିବା ନେଇ ବୁଦ୍ଧିଜୀବୀ ମାନେ ଏବଂ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଷ୍ଟାଡିୟମର ଏଭଳି ସ୍ଥିତିକୁ ନେଇ କ୍ରୀଡ଼ାବିତ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ତୁରନ୍ତ ଏହି ଷ୍ଟାଡିୟମକୁ ଭାଙ୍ଗି ନୂତନ ଭାବେ ପୁନଃ ନିର୍ମାଣ କରିବାକୁ ଅଞ୍ଚଳବାସୀ ଓ କ୍ରୀଡ଼ାବିତ ମାନେ ଦାବି କରିଛନ୍ତି।ଏ ସମ୍ପର୍କରେ ବାଲିମେଳା ଏନଏସିର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା
ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,
ଏହି ପୁରୁଣା ଷ୍ଟାଡିୟମ କୋଠାକୁ ଭାଙ୍ଗି ନୂତନ କୋଠା ନିର୍ମାଣ କରିବା ସହିତ ଷ୍ଟାଡିୟମର ସୁରକ୍ଷା ପାଚେରୀ, ଦର୍ଶକଙ୍କ ବସିବା ପାଇଁ ଗ୍ୟାଲେରୀନିର୍ମାଣ ଓ ଆଲୋକିକରଣ କରିବା ପାଇଁ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗକୁ ଆବଶ୍ୟକ ହେଉଥିବା ଅନୁଦାନ ରାଶି ଯୋଗାଇଦେବାକୁ ଚିଠି କରାଯାଇଛି।
ଅନୁଦାନ ଆସିବା ପରେ କାମ ଆରମ୍ଭ ହେବ। ଏହି ଷ୍ଟାଡିୟମର ସୁ ପରିଚାଳନା ପାଇଁ ଏହାକୁ ଯୁବ ଓ କ୍ରୀଡା ବିଭାଗକୁ ହସ୍ତାନ୍ତର କରିବା ପାଇଁ ବିଭାଗ ପକ୍ଷରୁ ଯୋଜନା କରାଯାଉଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦୋରା କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق