ସ୍କୁଲ ପିଲାଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣିଲେ ମୁଖ୍ୟମନ୍ତ୍ରୀ
ଷ୍ଟାର୍ଟଅପ କ୍ଷେତ୍ରରେ ଭାରତ ବର୍ଷର ସଫଳତା ବିଷୟରେ ପିଲାଙ୍କୁ ବୁଝାଇଲେ, ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି |
ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ଆଜି ଥିଲା 130 ତମ ଅଧ୍ୟାୟ | ମୁଖ୍ୟମନ୍ତ୍ରୀ ସ୍କୁଲ ପରିସରରେ ଏହି କାର୍ଯ୍ୟକ୍ରମ ଶୁଣିବା ସହିତ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ | ଏଥି ସହିତ ଷ୍ଟାର୍ଟଅପ କ୍ଷେତ୍ରରେ ଭାରତ ବର୍ଷର ସଫଳତା ବିଷୟରେ ଆଲୋକପାତ କରି ପିଲା ମନକୁ ସବୁବେଳେ ନବସୃଜନ ଉପରେ ଗୁରୁତ୍ୱ ଦେବା ପାଇଁ ଉପଦେଶ ଦେଇଥିଲେ | ଆଜିର ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ରଖିଥିବା ତାଙ୍କର ପ୍ରତ୍ୟେକ ପ୍ରେରଣାଦାୟୀ ବିଚାର ସମ୍ପର୍କରେ ପିଲା ମାନକ ସହ ମୁଖ୍ୟମନ୍ତ୍ରୀ ସଵିସ୍ତୃତ ଆଲୋଚନା କରିଥିଲେ |
ସୂଚନାଯୋଗ୍ୟ ଯେ, ଆଜି ଥିଲା ଜାତୀୟ ମତଦାତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବ ଭୋଟର ମାନଙ୍କୁ ଭୋଟର ଲିଷ୍ଟରେ ନାମ ପଞ୍ଜୀକୃତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆହ୍ବାନ ଦେଇଥିଲେ। ଏଥି ସହିତ ଇଣ୍ଡଷ୍ଟ୍ରି ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ କ୍ବାଲିଟିକୁ ସର୍ବାଗ୍ରେ ରଖିବା, ସ୍ବଚ୍ଛତା ଓ ପରିବେଶ ପ୍ରଦୂଷଣ ପ୍ରତି ସଚେତନତା ବୃଦ୍ଧି ଭଳି ଅନେକ ପ୍ରେରଣାଦାୟୀ ବାର୍ତ୍ତା ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କର ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସଫଳତା ଓ ନବସୃଜନ ଉପରେ ଗୁରୁତ୍ବ ଦେଇ ଦେଶବାସୀଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେଇ ଆସୁଛନ୍ତି।
ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ବର ବିଧାୟକ ଶ୍ରୀ ବାବୁ ସିଂ, ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସମାଜସେବୀ ଶ୍ରୀ ଜଗନ୍ନାଥ ପ୍ରଧାନ, ବରିଷ୍ଠ ନେତୃବୃନ୍ଦ ଓ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment