BREAKING
Loading...
:

ଦ୍ୱିତୀୟ ପତ୍ନୀଙ୍କୁ ମିଳିପାରିବ ନାହିଁ ଫ୍ୟାମିଲି ପେନ୍‌ସନ୍‌,ଆବେଦନ ଖାରଜ କଲେ ହାଇକୋର୍ଟ

 ଦ୍ୱିତୀୟ ପତ୍ନୀଙ୍କୁ ମିଳିପାରିବ ନାହିଁ ଫ୍ୟାମିଲି ପେନ୍‌ସନ୍‌,ଆବେଦନ ଖାରଜ କଲେ ହାଇକୋର୍ଟ



ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ପତ୍ନୀ ପରିବାର ପେନ୍‌ସନ୍‌ ବା "ଫ୍ୟାମିଲି ପେନ୍‌ସନ୍‌' ପାଇବା ପାଇଁ ହକଦାର୍‌ ନୁହନ୍ତି ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ପ୍ରଥମ ପତ୍ନୀ ଜୀବିତ ଥିବା ସମୟରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରନ୍ତି, ତେବେ ସେହି ବିବାହ ଆଇନତଃ ଅସିଦ୍ଧ ।


ଏପରି କ୍ଷେତ୍ରରେ ଦ୍ୱିତୀୟ ପତ୍ନୀ ପେନ୍‌ସନ୍‌ ଦାବି କରିପାରିବେ ନାହିଁ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ ଡି.କେ. ଶ୍ରୀପଦ ଏବଂ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ।


ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ପତ୍ନୀଙ୍କ ସହ ସମ୍ପର୍କ ଥାଇ ଦ୍ୱିତୀୟ ବିବାହ କରିବା ଏକ ଅପରାଧ । ଏପରି ବିବାହ ଆରମ୍ଭରୁ ହିଁ ଅସିଦ୍ଧ । ଯାହା ଆରମ୍ଭରୁ ବେଆଇନ ତାହା ପରେ ଆଇନଗତ ବା ବୈଧ ବୋଲି ଗ୍ରହଣ କରାଯାଇ ପାରିବନାହିଁ । ଓଡ଼ିଶା ସିଭିଲ ସର୍ଭିସେସ୍‌ (ପେନସନ) ନିୟମାବଳୀ-୧୯୯୨ ଅନୁସାରେ, ପେନସନ ପାଇଁ ଜଣେ "ବୈଧ ପତ୍ନୀ' ହେବା ଅପରିହାର୍ଯ୍ୟ । ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ "ଏକପତ୍ନୀ ବ୍ରତ' ଏକ କଠୋର ନିୟମ ଏବଂ ସନ୍ତାନ ନ ହେବା ଦ୍ୱିତୀୟ ବିବାହ କୌଣସି ଆଇନଗତ କାରଣ ହୋଇପାରିବ ନାହିଁ । ଯେଉଁ ବିବାହ ଆରମ୍ଭରୁ ହିଁ ଅସିଦ୍ଧ ତାହା ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ମଧ୍ୟ ବୈଧ ହୋଇପାରିବ ନାହିଁ । ଦ୍ୱିତୀୟ ପତ୍ନୀଙ୍କୁ ପେନ୍‌ସନ୍‌ ଦେବା ପାଇଁ ଅନୁମତି ଦେବା ଅର୍ଥ ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ସହ ସମାନ । ଫ୍ୟାମିଲି ପେନ୍‌ସନ୍‌ କେବଳ ଆଇନତଃ "ବୈଧ ପତ୍ନୀ'ଙ୍କୁ ମିଳିଥାଏ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS