ଫାଇନାଲରେ ମେଣ୍ଢାଶାଳକୁ ଭେଟିବ କଟକ
ଗଣିଆ ୩୦/୧୨(ସମିସ) ଗଣିଆ ବ୍ଳକ ବେଲପଡାପାଟଣାରେ ଥିବା ରଘୁନାଥ ଜୀଉ କ୍ଳବ୍ ଆନୁକୂଲ୍ୟରେ ୪୮ ତମ ଦୟାନିଧି ସାହୁ ଏବଂ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଆଠଗଡ ଏବଂ ବିଏନସିସି (କଟକ) । ଆଠଗଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬.୩ ଓଭରରେ ସମସ୍ତ ଉଇକେଟ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲା । ଜବାବରେ କଟକ ୧୩.୦୧ ଓଭରରେ ୩ଟି ଉଇକେଟ ହରାଇ ୨୦୧ ରନ୍ ସଂଗ୍ରହ କରି ମ୍ୟାଚଟିକୁ ଜିତି ଯାଇଥିବା ବେଳେ ଦ୍ବିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । କଟକର ମୃତ୍ୟୁଞ୍ଜୟ ମାନସିଂହ ମାତ୍ର ୩୯ ବଲରେ ୧୧୮ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ମ୍ୟାଚ ପରିଚାଳନା କରିଥିଲେ ସମୀର କୁମାର ମହାପାତ୍ର ଏବଂ ପୂର୍ଣ୍ଣଚନ୍ଦ୍ର ସାହୁ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ଗଣିଆ ବ୍ଳକ ପ୍ରତିନିଧି ଶରତ କୁମାର କର ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ବୁଧବାର ଫାଇନାଲ ମ୍ୟାଚ ବିଏନସିସି (କଟକ) ବନାମ ମେଣ୍ଢାଶାଳ (ଖୋର୍ଦ୍ଧା) ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଳବ୍ ତରଫରୁ ଜଣାପଡିଛି ।
ମଣିଭଦ୍ରା ଖବର, ଗଣିଆ


Post a Comment