*ମଦମୁକ୍ତ ଭାରତ ପାଇଁ ରାଷ୍ଟ୍ରପତି ଙ୍କୁ ସାକ୍ଷାତକାର।*
ନୂଆଦିଲ୍ଲୀ, -: ପ୍ରବୀଣ ଗାନ୍ଧୀବାଦୀ, ମଦମୁକ୍ତ ଭାରତ ଅଭିଯାନ ର ଆବାହକ ଏବଂ ମିଳିତ ଓଡ଼ିଶାର ନିଶା ନିବାରଣ ଅଭିଯାନ (MONNA)ର ସଭପତି ଶ୍ରୀ ପଦ୍ମ ଚରଣ ନାୟକଙ୍କ ନେତୃତ୍ୱରେ ନିଶା ନିବାରଣ କର୍ମୀଙ୍କ ଏକ ଛଅ ଜଣିଆ ପ୍ରତିନିଧି ଦଳ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଭାରତ ର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ।
ପ୍ରତିନିଧି ଦଳ ବ୍ୟକ୍ତି, ପରିବାର ଏବଂ ସମାଜ ଉପରେ ମଦ ଏବଂ ନିଶାଦ୍ରବ୍ୟର ବିନାଶକାରୀ ପ୍ରଭାବ ବିଷୟରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ମଦ ନିଶା ସମଗ୍ର ଭାରତରେ ଘରୋଇ ହିଂସା, ଅପରାଧ, ଦାରିଦ୍ର୍ୟ, ସ୍ୱାସ୍ଥ୍ୟହାନୀ ଏବଂ ନୈତିକ ଅବକ୍ଷୟର ଏକ ପ୍ରମୁଖ କାରଣ ପାଲଟିଛି ବୋଲି ତଥ୍ୟ ଉପସ୍ଥାପନ କରିଥିଲେ । ସେମାନେ ଜୋର ଦେଇ କହିଥିଲେ ଯେ ଜାତୀୟ ସମନ୍ୱୟ ବିନା ରାଜ୍ୟସ୍ତରୀୟ ନିଶା ନିବାରଣ ନୀତି ସଫଳ ହୋଇପାରୁ ନାହିଁ, କାରଣ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ମଦ ଅନୁପ୍ରବେଶ ସମସ୍ତ ପ୍ରୟାସକୁ ଦୁର୍ବଳ କରିଦେଉଛି।
ଆଲୋଚନା ସମୟରେ, ପ୍ରତିନିଧି ଦଳ ଭାରତୀୟ ସମ୍ବିଧାନ ଅନ୍ତର୍ଗତ ରାଷ୍ଟ୍ର ପାଇଁ ସାମ୍ବିଧାନିକ ନୀତି ନିର୍ଦ୍ଦେଶକ ର ଧାରା 47 କୁ ଉଲ୍ଲେଖ କରିଥିଲେ, ଯାହା ସ୍ପଷ୍ଟ ଭାବରେ ରାଜ୍ୟଗୁଡ଼ିକୁ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନିଶାଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟକୁ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛି । ସମ୍ବିଧାନର ସର୍ବୋଚ୍ଚ ସଂରକ୍ଷକ ଭାବରେ ମହାମହିମ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ମଦ ପ୍ରସାର ପରିବର୍ତ୍ତେ ଏହାର ପୂର୍ଣ୍ଣ ନିଷେଧକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ ।
ମାନନୀୟା ରାଷ୍ଟ୍ରପତି ପ୍ରତିନିଧି ମଣ୍ଡଳୀ ଙ୍କୁ ଧୈର୍ଯ୍ୟର ସହ ଶୁଣି ଦେଶବ୍ୟାପୀ ମଦ ପ୍ରସାର ଯୋଗୁଁ ବୃଦ୍ଧି ପାଉଥିବା ନୈତିକ ମୂଲ୍ୟ ର ଅବକ୍ଷୟ ଏବଂ ସାମାଜିକ-ଆର୍ଥିକ ଓ ସାଂସ୍କୃତିକ ବିପର୍ଯ୍ୟୟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସେ ନିଜେ ସମାଜରେ ମଦ ଜନିତ ନୈତିକ ଏବଂ ସାଂସ୍କୃତିକ ଅବକ୍ଷୟ ଦେଖିଛନ୍ତି ଏବଂ ଏହି ପ୍ରସଙ୍ଗକୁ ତୁରନ୍ତ ଜାତୀୟ ସ୍ତରରେ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି ସହମତ ହୋଇଥିଲେ।
ମହାମହିମ ରାଷ୍ଟ୍ରପତି ଜନସାଧାରଣ ଙ୍କ ବୃହତ୍ତର ସ୍ୱାର୍ଥ ରେ ଦେଶବ୍ୟାପୀ ମଦ ଓ ଅନ୍ୟ ମାରାତ୍ମକ ନିଶା ଦ୍ରବ୍ୟ ର ପୂର୍ଣ୍ଣ ନିଷେଧ ପାଇଁ ଗମ୍ଭୀରତାର ସହ ବିଚାର କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ପରାମର୍ଶ ଦେବେ ବୋଲି ପ୍ରତିନିଧିଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ପ୍ରତିନିଧି ମଣ୍ଡଳୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ତାଙ୍କର ସମତାପୂର୍ଣ୍ଣ, ସମ୍ବେଦନଶୀଳତା ଏବଂ ନୈତିକ ନେତୃତ୍ୱ ପାଇଁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ ଏବଂ ଆଜିର ଏହି ବୈଠକକୁ ମଦମୁକ୍ତ ଭାରତ ଆନ୍ଦୋଳନରେ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ।
ପ୍ରତିନିଧିମଣ୍ଡଳୀ ର ସଦସ୍ୟମାନେ
୧. ଶ୍ରୀ ପଦ୍ମଚରଣ ନାୟକ - ସଂଯୋଜକ, ମଦମୁକ୍ତ ଭାରତ ଅଭିଯାନ ଏବଂ ସଭାପତି, ମୋନା
୨. ସୁଲତାନ ସିଂହ, ୟୁପି
୩. କଲ୍ୟାଣୀ ପାଲୁଇ, ପଶ୍ଚିମବଙ୍ଗ।
୪. ରବିନ୍ଦର ସିଂହ, ଦିଲ୍ଲୀ
୫. ଗୀତାଞ୍ଜଳି ସ୍ୱାଇଁ, ଓଡ଼ିଶା
୬. କାହ୍ନୁ ଚରଣ ବେହୁରା, କାର୍ଯକାରୀ ସଭାପତି, ମୋନା, ଓଡ଼ିଶା
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment