ଦୁର୍ନୀତିର ପର୍ଦାଫାସ୍ ପରେ ବି ନିରବ ଜିଲ୍ଲା ପ୍ରଶାସନ !
ଟାକରା ଉଚ୍ଚ ବିଦ୍ୟାଳୟରେ ଅନିୟମିତତା ପ୍ରସଙ୍ଗ
ତଦନ୍ତର ତିନି ସପ୍ତାହ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ଦଶପଲ୍ଲା ; - ( ମଣିଭଦ୍ରା ଖବର) ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ପା ମାଳମାଳ ଦୁର୍ନୀତିକୁ ନେଇ ଅଭିଯୋଗ ହେବା ଓ ପରେ ତଦନ୍ତରେ ସତ ଧରା ପଡ଼ିବା ପରେ ଜିଲ୍ଲା ପ୍ରଶାସନ ହାତବାନ୍ଧି ବସିବାକୁ ନେଇ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଦ୍ୟାଳୟ କମିଟିର ସଭାପତି । ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ଉଚ୍ଚ ବିଦ୍ୟାଳୟରେ ନାନା ଅନିୟମିତତାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକେଶ ଦୁଗାଲଙ୍କ ନାମରେ ବିଦ୍ୟାଳୟ ପରିଚାଳନା କମିଟି, ଆଲୁମ୍ନି କମିଟି ଓ ଅଭିଭାବକଙ୍କ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ହାତବାନ୍ଧି ବସିବା ଘଟଣା ଏବେ ସନ୍ଦେହ ଘେରକୁ ଆସିଛି | ତଦନ୍ତକୁ ଏହାରି ମଧ୍ୟରେ ୨୦ ଦିନ ରୁ ଅଧିକ ଦିନ ବିତିଥିଲେ ମଧ୍ୟ କାହିଁକି ଓ କାହା ଚାପରେ ଜିଲ୍ଲା ପ୍ରଶାସନ ହାତବାନ୍ଧି ବସିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଖୁବ୍ଶୀଘ୍ର ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଆଲୁମ୍ନି କମିଟି ସଭାପତି ପ୍ରଦୀପ କୁମାର ସାହୁ।
ସୂଚନାଯୋଗ୍ୟ, ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ସ୍ବେଚ୍ଛାଚାର ନୀତି, ଅର୍ଥ ତୋଷରପାତ, ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦେବା ଓ ସରକାରୀ ନିୟମର ଖୋଲା ଉଲଂଘନ ନେଇ ଉଭୟ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଆଦି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏପରିକି ପ୍ରଧାନ ଶିକ୍ଷକ ଶ୍ରୀ ଦୁଗାଲ୍ ବିଦ୍ୟାଳୟରେ ଯୋଗଦେବା ଦିନଠାରୁ ବିଦ୍ୟାଳୟରେ ନାନା ଅସ୍ଥିରତା ଦେଖାଦେଇଥିବା କମିଟି ଅଭିଯୋଗ ଆଣିଛି| ବିଦ୍ୟାଳୟରେ କୈାଣସି ପାଠ ପଢ଼ାଉନଥିବା ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କ ପ୍ରତି ଜିଲ୍ଲା ପ୍ରଶାସନର ଅନୁକମ୍ପା ବେଳେ ଅଧସ୍ତନ କର୍ମଚାରୀଙ୍କୁ ଡରାଇ ଧମକାଇ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟଦେବା ଓ କେହି ଅନ୍ତେବାସୀ ପ୍ରତିବାଦ ଉଠାଇଲେ ହଷ୍ଟେଲରୁ ବହିଷ୍କାର କରିବା ଧମକ ଦିଆଯାଉଛି। ଅନ୍ତେବାସୀଙ୍କ ପାଇଁ ଦୈନିକ ୫ଶହ ଗ୍ରାମ ଚାଉଳ ଆସୁଥିବା ବେଳେ ବଳକା ଚାଉଳକୁ ପ୍ରଧାନଶିକ୍ଷକ ବଜାରରେ ବିକ୍ରୟ କରି ବ୍ୟାପକ ଅର୍ଥ ଆତ୍ମସାତ୍ କରୁଛନ୍ତି। ବୌଦ୍ଧ ଜିଲ୍ଲାର ଛାତ୍ରଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ସହ ଅନୁସୂଚିତ ଜାତି ବର୍ଗର ଛାତ୍ରଙ୍କଠାରୁ ନାମଲେଖା ପାଇଁ ମାତ୍ରାଧିକ ଅର୍ଥ ଆଦାୟ କରିବା, ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନକୁ ଏସ୍ଏମସି କିମ୍ବା ଆଲୁମିନି କମିଟିକୁ ଅବଗତ ନକରାଇ ମିଥ୍ୟା ଭାଉଚର ପ୍ରସ୍ତୁତ କରି ଅର୍ଥ ଆତ୍ମସାତ୍ କରିବା, ସ୍ମାର୍ଟ କ୍ଲାସରୁମ୍ ପାଇଁ ଆସିଥିବା ଦେଢ଼ଲକ୍ଷ ଟଙ୍କାକୁ ମିଥ୍ୟା ଭାଉଚର୍ କରି ଆତ୍ମସାତ୍ କରିବା, କମିଟିର ଅଜ୍ଞାତ ଓ ବିନା ନୋଟିସରେ ରାତ୍ର ଜଗୁଆଳ ଓ ଝାଡ଼ୁଦାର ନିଯୁକ୍ତି ଦେବାସହ ପ୍ରତି ବୈଠକରେ ନୂଆନୂଆ ରିଜୋଲ୍ୟୁସନ ଖାତା ପରିବର୍ତ୍ତନ କରିବା ଆଦି ଅଭିଯୋଗ ଆଣିଥିଲେ ଏଭଳି ଅଭିଯୋଗକୁ ନେଇ ଗତ ମାସ ୨୫ ତାରିଖ ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡିଓଙ୍କ ସମେତ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ତଦନ୍ତ କରିଛନ୍ତି | ଯେଉଁସବୁ ଅଭିଯୋଗ ଥିଲା ତାହା ତଦନ୍ତ ସମୟରେ ସତ୍ୟତା ଥିବାନେଇ କମିଟି ପକ୍ଷରୁ କୁହାଯାଇଛି। ହେଲେ ଘଟଣାର ତିନି ସପ୍ତାହ ପରେ କାର୍ଯ୍ୟାନୁଷ୍ଠାନ ନହେବା ଆଶ୍ଚର୍ଯ୍ୟର ବିଷୟପାଲଟିଛି | ଜିଲ୍ଲା ପ୍ରଶାସନର ଏଭଳି ସ୍ଥାଣୁତାକୁ ନେଇ ଖୁବ୍ଶୀଘ୍ର ଆନ୍ଦୋଳନ କରିବାକୁ କମିଟି ପକ୍ଷରୁ କୁହାଯିବା ସହ କୈାଣସି ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ପ୍ରଶାସନ ଦାୟୀ ରହିବା ନେଇ ଚେତାବନୀ ଦେଇଛନ୍ତି ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق