BREAKING
Loading...
:

ବିପଦସଙ୍କୁଳ ଗୁଣ୍ତିଚା ଘର ପ୍ରତି ପ୍ରଶାସନର ଦୃଷ୍ଟି ପଡୁ

 ବିପଦସଙ୍କୁଳ ଗୁଣ୍ତିଚା ଘର ପ୍ରତି ପ୍ରଶାସନର ଦୃଷ୍ଟି ପଡୁ                            



  ଖଣ୍ଡପଡ଼ା ୯|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ପ୍ରତି ବର୍ଷ ପବିତ୍ର ଘୋଷଯାତ୍ରା  ଅବସରରେ ଜଗନ୍ନାଥ ମହାପ୍ରଭୁ ମନ୍ଦିରରୁ ବାହାରି  ଖଣ୍ଡପଡ଼ା ସହରର ୯ନଂ ଓ୍ବାର୍ଡ ସ୍ଥିତ ବିପଦଶଙ୍କୁଳ ଗୁଣ୍ଡିଚାଘରେ ଅବସ୍ଥାନ କରିଥାନ୍ତି।ସେହି ସମୟରେ ବିଗ୍ରହଙ୍କ ଦର୍ଶନ ନିମନ୍ତେ ଗୁଣ୍ଡିଚାଘରେ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ତେବେ ରାଜରାଜୁଡା ଅମଳରୁ କାଠ ଖମ୍ବ ଓ ଟିଣ ଛପରରେ ନିର୍ମିତ ପୁରାତନ ଗୁଣ୍ଡିଚାଘରଟି ସମୟାନୁକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ। କାଳକ୍ରମେ ବିପଦଶଙ୍କୁଳ ହୋଇ ପଡିଥିବା ସେହି ଗୁଣ୍ଡିଚାଘରେ ଶ୍ରୀଜୀଉ  ୯ ଦିନ ବ୍ଯାପି ଯାତ୍ରା ଅବସରରେ ଅବସ୍ଥାନ କରୁଥିବାରୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ବାରମ୍ବାର ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ବେ ମଧ୍ଯ ଗୁଣ୍ଡିଚାଘରର ଉନ୍ନତିକରଣ ଦିଗରେ କେହି ଧ୍ୟାନ ଦେବାତ ଦୁରର କଥା ସାମାନ୍ଯ  ମରାମତି ଦିଗରେ ଆନ୍ତରିକତା ପ୍ରକାଶ ନକରିବା ପରିତାପର ବିଷୟ । ଖଣ୍ଡପଡ଼ା ରାଜ ପରିବାର ଦ୍ବାରା ପରିଚାଳିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକରଏକର  ଜମିବାଡି, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି।ତେବେ ଏତେ ସବୁ ସତ୍ତ୍ବେ ମହାପ୍ରଭୁ ୯ ଦିନ ବ୍ୟାପି ପବିତ୍ର ଘୋଷଯାତ୍ରା  ଅବସରରେ ବିପଦଶଙ୍କୁଳ ଗୁଣ୍ଡିଚାଘରେ ଅବସ୍ଥାନ କରୁଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ଷ ବର୍ଷ ଧରି ବିଶ୍ବନିୟନ୍ତା ଜଗତର ନାଥ ଶ୍ରୀ ଜଗନ୍ନାଥଜୀଉ ବିପଦଶଙ୍କୁଳ ଗୁଣ୍ଡିଚାଘରେ ରହି ଆସୁଥିଲେ ହେଁ ଏହାର ଉନ୍ନତିକରଣ ଦିଗରେ ଖଣ୍ଡପଡ଼ା ରାଜ ପରିବାରର ସଦସ୍ଯମାନେ ଦୃଷ୍ଟି ନଦେବା ଦୁଃଖର ବିଷୟ।ଅପରପକ୍ଷେ ରାଜ୍ଯ ସରକାର ମଠ, ମନ୍ଦିର ପରି ପ୍ରାଚୀନ କିର୍ତ୍ତୀରାଜି ଓ ଐତିହ୍ୟର ସୁରକ୍ଷା ଦିଗରେ କୋଟିକୋଟି ଟଙ୍କା ବ୍ୟୟ କରୁଥିଲେ ହେଁ ଦୀପତଳ ଅନ୍ଧାର ପରି ଖଣ୍ଡପଡ଼ାସ୍ଥିତ ବିପଦଶଙ୍କୁଳ ଗୁଣ୍ଡିଚାଘରଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଛି। ବିଳମ୍ବରେ ହେଉପଛେ ଗୁଣ୍ଡିଚାଘରର ଉନ୍ନତିକରଣ ଦିଗରେ ଜିଲ୍ଲା ପ୍ରଶାସନ, ଖଣ୍ଡପଡ଼ା  ଏନଏସି କର୍ତ୍ତୃପକ୍ଷ ,ବିଧାୟକ ଓ ସାଂସଦ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS