*ବ୍ରହ୍ମପୁରରେ ୱାକଫ ସମ୍ପତ୍ତି ପଞ୍ଜିକରଣ ନିମନ୍ତେ ଜାମିୟା ମସଜିଦରେ ତିନି ଦିନିଆ କାର୍ଯ୍ୟକ୍ରମ*
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ମସଜିଦ, ମଦ୍ରାସା, କବ୍ରସ୍ଥାନ, ଦର୍ଗା ଏବଂ ମସଜିଦ ପରିଚାଳିତ ଜମି ପଟ୍ଟା ତଥା ଦସ୍ତାବେଜ ପଞ୍ଜିକରଣ ନିମନ୍ତେ ବ୍ରହ୍ମପୁର ଭାପୁର ସ୍ଥିତ ଜାମିୟା ମସଜିଦ ମେନେଜିଂ କମିଟି ଦ୍ଵାରା ଏକ ତିନି ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଜାମିୟା ମସଜିଦ ପରିଚାଳିତ ମଦ୍ରାସା ଦାରୁଲ ଉଲୁମ୍ ଗୋଷିଆ ରେଷ୍ଟିୱା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି।
ଉଦଘାଟନୀ ସଭାରେ ଓଡ଼ିଶା ୱାକଫ ବୋର୍ଡର ଚିଫ ଏକ୍ସକ୍ୟୁଟିଭ ଅଫିସର ସେଖ ସଗିର (ଓଏଏସ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ସରକାରଙ୍କ କେନ୍ଦ୍ରୀୟ ଅଳ୍ପ ସଂଖ୍ୟକ ବିଭାଗ ଦ୍ଵାରା ପ୍ରଦତ୍ତ ଉମିଡ ପୋର୍ଟାଲରେ ୱାକଫ ସମ୍ପତ୍ତି ପଞ୍ଜିକରଣର ଆବଶ୍ୟକତା ଏବଂ ଗୁରୁତ୍ଵ ବିଷୟରେ ବକ୍ତବ୍ୟ ରଖିଥିଲେ। ୱାକଫ ବୋର୍ଡର ମାଷ୍ଟର ଟ୍ରେନର ଘମାସ ତାଉରେଜ ଏବଂ ଅମିନ ସେଖ ସଲାମତୁଲା ପ୍ରୋଜେକ୍ଟର ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ସମସ୍ତ ମସଜିଦ ସଭାପତି ଓ ମୁତୁୱାଲିଙ୍କୁ ପଞ୍ଜିକରଣ ପ୍ରକ୍ରିୟା ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ଜାମିଆ ମିଲିୟା ଇସଲାମୀୟା ବିଶ୍ଵବିଦ୍ୟାଳୟର ପ୍ରଫେସର ଡ଼ା. ମହମ୍ମଦ ଅଲତାଫ ଖାନ, ଉନିସେଫ ଓଡ଼ିଶା ବ୍ରାଞ୍ଚ କୋଡିନେଟର ଏମ. ଏସ. ଖାନ ଏବଂ ଶିଳ୍ପପତି ଏମ. ଏ. ରଜାକ ଯୋଗ ଦେଇଥିଲେ। ସଭା ପରିଚାଳନା ଜାମିୟା ମସଜିଦର ସଭାପତି ମହମ୍ମଦ ଫୈଜିଲୁଲା ଖାନ କରିଥିଲେ।
ଉପ-ସଭାପତି ଇଲିୟାସ ଅହମଦ ଖାନ ପଞ୍ଜିକରଣ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ମହମ୍ମଦ ଇସାକ (ଉପଦେଶକ) ଏବଂ ଅବଦୁଲ ରହମାନ (କୋଷାଧ୍ୟକ୍ଷ) ମଧ୍ୟ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ଜାମିୟା ମସଜିଦର ସମ୍ପାଦକ ମହମ୍ମଦ ଇବ୍ରାହିମ ଖାନ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।
ଜାମିୟା ମସଜିଦ ଓ ମଦ୍ରାସା ଦାରୁଲ ଉଲୁମ୍ ଗୋଷିଆ ରିଜୱାରର ସମସ୍ତ ସଭ୍ୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମ ଜାମିୟା ମସଜିଦ ପରିସରରେ ଚାଲିବ ଏବଂ ଗଞ୍ଜାମ ଜିଲ୍ଲାର ୱାକଫ ସମ୍ପତ୍ତି ପଞ୍ଜିକରଣକୁ ସୁଗମ ଓ ସୁଚାରୁ ରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ରଖାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment