ଭାଙ୍ଗିଲା ଅନଶନ,୬ ମାସ ସମୟ ନେଇ ପୁଣି ଭଣ୍ଡାଇଲେ ଠିକାଦାର
ଗଣିଆ (ମଣିଭଦ୍ରା ଖବର) ଗଣିଆ - ବଡମୂଳ ରାସ୍ତା ନିର୍ମାଣ ଦାବିରେ ଛାମୁଣ୍ଡିଆ ଗ୍ରାମବାସୀଙ୍କ ଧାରଣା ଆଜି ଶେଷ ହୋଇଛି । ବୁଧବାର ଅପରାହ୍ନରେ ଆରଡ଼ି ବିଭାଗର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଠିକାଦାରଙ୍କ ପର୍ଯ୍ୟନ୍ତ ଅନଶନ ସ୍ଥଳରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାସୁଝା କରି ଲିଖିତ ପ୍ରତିଶୃତି ଦେଇଥିଲେ । ଜୁନ ମାସ ଶେଷ ସୁଦ୍ଧା ଗଣିଆ ଠାରୁ କଳାପାଟ ପର୍ଯ୍ୟନ୍ତ ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ । ଛାମୁଣ୍ଡିଆ ପର୍ଯ୍ୟନ୍ତ ବଳକା ଥିବା ୧ କିଲୋମିଟର ରାସ୍ତା ୪୫ ଦିନ ଭିତରେ ଶେଷ କରିବା ସହିତ ଗଣିଆ ଠାରୁ କୁତୁରୀ ପର୍ଯ୍ୟନ୍ତ ରାସ୍ତା ଆସନ୍ତା ନଭେମ୍ବର ୩୦ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତିରେ ଜଣାଇଛନ୍ତି ।
ଯଦି ଉପରୋକ୍ତ ସମୟରେ କାର୍ଯ୍ୟ ସଂପୂର୍ଣ୍ଣ ନହେବ ତେବେ ଠିକାଦାରଙ୍କ ଟେଣ୍ଡର ବାତିଲ କରାଯିବ ବୋଲିି ଲିଖିତ ପ୍ରତିଶୃତିରେ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଗତ ଫେବୃୟାରୀ ମାସ ୩ ତାରିଖରେ ଗ୍ରାମବାସୀ ବସିଥିବା ଧାରଣାରେ ଉପଜିଲ୍ଲାପାଳ ୩ ମାସ ଭିତରେ କାର୍ଯ୍ୟ ସାରିବାକୁ ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ କିଛି ବି କାର୍ଯ୍ୟ ହୋଇପାରିନଥିବା ଯୋଗୁଁ ଗ୍ରାମବାସୀ ପୁଣି ଧାରଣାରେ ବସି ରହିଥିଲେ । ଏବେ ପୁଣିଥରେ ୬ ମାସ ସମୟ ନେଇ ଜନସାଧାରଣଙ୍କୁ ଭଣ୍ଡାଇ ଚାଲିଗଲେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ପ୍ରକୃତରେ ରାସ୍ତା ନିର୍ମାଣ ପାଇଁ ପ୍ରଶାସନର ଆନ୍ତରିକତା ଅଛି ନା ଖାଲି ଅନଶନ ଭାଙ୍ଗିବାକୁ ଏଭଳି ପ୍ରତିଶୃତି ଦେଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ ଏ ପ୍ରତିଶୃତି କେବେ ବାସ୍ତବ ରୂପ ନେଉଛି ନା ପୁଣିଥରେ ଗ୍ରାମବାସୀ ଜରିପାଲ ଧରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବସି ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ମଣିଭଦ୍ରା ଖବର, ଗଣିଆ
Post a Comment