BREAKING
Loading...
:

ପାରମ୍ପରିକ ପର୍ବ ଓ ଲୋକ କଳା ଆମ ଜାତୀୟ ଅସ୍ମିତାର ପ୍ରତୀକ : ରଜ ମହୋତ୍ସବ

 ପାରମ୍ପରିକ ପର୍ବ ଓ ଲୋକ କଳା ଆମ ଜାତୀୟ ଅସ୍ମିତାର ପ୍ରତୀକ : ରଜ ମହୋତ୍ସବ 



ବ୍ରହ୍ମପୁର,  (ମଣିଭଦ୍ରା ଖବର) 

          ରାଜ୍ୟର ଅଗ୍ରଣୀ ଓ ପୁରାତନ ସାଂସ୍କୃତିକ ସଂଗଠନ "ଜାତୀୟ ସଙ୍ଗୀତ କଳା କେନ୍ଦ୍ର" ଏବଂ "ମଞ୍ଚଜ୍ୟୋତି : ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ"ର ମିଳିତ ଆନୁକୂଲ୍ୟରେ "ରଜ ମହୋତ୍ସବ : ୨୦୨୫" କଳା କେନ୍ଦ୍ର ପରିସରସ୍ଥ "ଭଞ୍ଜ ମଣ୍ଡପ" ଥରେ ମହା ସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ର ଦିଗୁଙ୍କ ସଂଯୋଜନା କ୍ରମେ ମଞ୍ଚଜ୍ୟୋତି ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ବରିଷ୍ଠ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଅତିଥି ଭାବରେ ଯୋଗଦେଇ ଆମ ପାରମ୍ପରିକ ପର୍ବ ଓ ଆମ ଲୋକ କଳା ଆମ ଜାତୀୟ ଅସ୍ମିତାର ପରିଚାୟକ ଏବଂ ଏହା ଆମ ଜନ ଜୀବନକୁ ସରସ, ସୁନ୍ଦର, ୠଦ୍ଧିମନ୍ତ ଓ ମୋକ୍ଷ ପ୍ରଦାୟୀ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଲୋକ ନାଟ୍ୟ ସଂଗଠକ ରବୀନ୍ଦ୍ର କୁମାର ପ୍ରଧାନ ଓ ଏସ. ରାଜେନ୍ଦ୍ର ରେଡ୍ଡୀ ଏବଂ ଲୋକ ନାଟକ ନିର୍ଦ୍ଦେଶକ ଗୁରୁ ଅରୁଣ କୁମାର ଜେନା ଓ ରବୀନ୍ଦ୍ର ବେହେରାଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କଳାକେନ୍ଦ୍ର ସମ୍ପାଦକ ସ୍ଵରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

          ଗୁରୁ ବି. ଶିବ ପ୍ରସାଦ ରାଓ ଏବଂ ଶେଖର ସୁମନ ମାଝିଙ୍କ ଛାତ୍ରୀମାନେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ। ଏତଦ୍ ବ୍ୟତୀତ ଓଡ଼ିଶାର ଲୁପ୍ତ ପ୍ରାୟ ମହାର୍ହ ଲୋକ ନାଟକ ମହନ୍ତ ଶ୍ରୀ ରାମାଧୀନ ଦାସ କୃତ ତଥା ହରିଡ଼ାଖଣ୍ଡି, ଶ୍ରୀଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ନାଟ୍ୟ ସଂଘ ପ୍ରଯୋଜିତ "ରାବଣ ଦର୍ପ ଦଳନ ବା ରାମ ନାଟକ" ମହୋତ୍ସବର ମୂଖ୍ୟ ଆକର୍ଷଣ ବିନ୍ଦୁ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ରାମ ପ୍ରସାଦ ସାବତ, ପ୍ରଦୀପ କୁମାର ସାହୁ, ଆଶୁତୋଷ ମହାପାତ୍ର, ମହେନ୍ଦ୍ର କୁମାର ସାହୁ, ଉମାମଣୀ ସାବତ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ମଞ୍ଚଜ୍ୟୋତି ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS