ଗଜପତିରେ ପାସ୍ ହାର ୯୯.୩୫%: ରାଜ୍ୟରେ ସର୍ବାଧିକ, କେକ୍ କାଟି ଉତ୍ସବ ମନାଇଲେ ଜିଲା ଶିକ୍ଷାଧିକାରୀ
ଗଜପତି,୨।୫(ମନୋଜ ପାଢୀ): ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି। ରାଜ୍ୟରେ ପାସ ହାର ପ୍ରାୟ ୯୫ ପ୍ରତିଶତ ଥିବା ବେଳେ ଗଜପତି ଜିଲ୍ଲାରେ ସର୍ବାଧିକ ୯୯.୩୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକି ଚଳିତ ବର୍ଷ ଓଡିଶାରେ ସର୍ବାଧିକ ପାସ ହାର।ଯାହାକୁ ନେଇ ଶିକ୍ଷା ବିଭାଗ ଉତ୍ସାହିତ ହୋଇଛି। ଅଧିକାରୀ ମାୟାଧର ସାହୁ ସଫଳତାକୁ ନେଇ ପାରଳାଖେମୁଣ୍ଡିସ୍ତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟଠାରେ କେକ କାଟି ଉତ୍ସବ ମନାଇଛନ୍ତି।
ସୂଚନାନୁଯାୟୀ, ଜିଲାର ଏଭଳି ସଫଳତା ପାଇବା ପାଇଁ ପୂର୍ବରୁ ଶିକ୍ଷା ବିଭାଗ ପକ୍ଷରୁ ଏକ ଡାଇଗ୍ରାମ ପ୍ରସ୍ତୁତ କରାଯାଇଥିଲା ଏହା ମୁତାବକ ପିଲାଙ୍କ ଉପରେ କୌଣସି ଚାପ ନଦେଇ ପଢା ପ୍ରତି ଯେପରି ଆଗ୍ରହ ସୃଷ୍ଟି ହେବ ଏବଂ ଅଧିକରୁ ଅଧିକ ପିଲା ଉତ୍ସାହିତ ହୋଇ କିପରି ପରୀକ୍ଷା ଦେବେ ସେ ନେଇ ପ୍ରଚେଷ୍ଟା ଜାରି ରହିଥିଲା। ଆଦିବାସୀ ବହୁଳ ଜିଲାରେ ଛାତ୍ରୀଛାତ୍ରମାନଙ୍କୁ ପାଠପଢାରେ ଆଗ୍ରହ ସୃଷ୍ଟି କରାଇବା ଏକ ଚାଲେଜିଙ୍ଗ ଥିଲା। ତଥାପି ସମସ୍ତ ଶିକ୍ଷକ ଉଦ୍ୟମ ଜାରି ରଖିଥିଲେ । ଜିଲାର ସଫଳତା ପାଇଁ ଜିଲାପାଳଙ୍କ ସହଯୋଗ ମଧ୍ୟ ରହିଥିଲା । ତେଣୁ ଏହି ସଫଳତାର ଶ୍ରେୟ ଜିଲାପାଳଙ୍କ ସହ ସମସ୍ତ ଶିକ୍ଷକଙ୍କୁ ଯାଉଛି ବୋଲି ଜିଲା ଶିକ୍ଷା ଅଧିକାରୀ କହିଛନ୍ତି । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପ୍ରୋଜ୍ୟୋତି ଚୌଧୁରୀ ୫୬୬ ମାର୍କ ରଖି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମୋଟାମୋଟି ଭାବେ ଦେଖିବାକୁ ଗଲେ ସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ଏ-୧ ହାସଲ କରିଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨ଜଣ ଏ-୧ ହାସଲ କରିଛନ୍ତି।
ଜିଲାରେ ସମୁଦାୟ ୭୪୯୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏଥିମଧ୍ୟରେ ଛାତ୍ରଙ୍କ ସଂଖ୍ୟା ୩୮୦୯ ଜଣ ଏବଂ ଛାତ୍ରୀଙ୍କ ସଂଖ୍ୟା ୩୬୯୦ ଜଣ ରହିଛନ୍ତି । ଏ-୧ରେ ୧୫ ଜଣ, ଏ-୨ରେ ୬୩୩ ଜଣ, ବି-୧ରେ ୨୨୫୪, ବି୨-ରେ ୨୩୬୫, ସି ରେ ୧୩୩୧, ଡି ରେ ୭୪୫, ଇରେ ୧୫୬ ଏବଂ ଏଫ୍ ଗ୍ରେଡ ରେ ୪୨ ଜଣ ରହିଛନ୍ତି ।
ମଣିଭଦ୍ରା ଖବର, ଗଜପତି
Post a Comment