*ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଏକାଧିକ ସ୍ଥାନରେ କାଳବୈଶାଖୀ ବର୍ଷା ଆଶଙ୍କା.....*
ଭୁବନେଶ୍ୱର (ମଣିଭଦ୍ରା ଖବର) ସମ୍ବଲପୁର ଟକଟକ୍ ହୋଇ ଫୁଟିଥିଲା । ତତଲା କଡ଼େଇରେ ଭାଜିଲା ଭଳି କଲବଲ କରିଥିଲା ତାତି । ଖାଲି ସମ୍ବଲପୁର ନୁହେଁ, ୧୬ ସହରରେ ଅସମ୍ଭାଳ ତାତି ଅନୁଭୂତ ହୋଇଥିଲା । ୪୦ ଡିଗ୍ରୀ ଡେଇଁ ଯାଇଥିଲା । ଆର୍ଦ୍ରତା ଅଧିକ ଥିବାରୁ ଭୁବନେଶ୍ୱରରେ ୬୦ ଡିଗ୍ରୀ ଭଳି ତାତି( ରିଅଲ ଫିଲ୍) ଅନୁଭୂତ ହୋଇଥିଲା । ୧୬ ତାରିଖ ଯାଏ ଏଭଳି ଅସମ୍ଭାଳ ତାତିରୁ ନିସ୍ତାର ମିଳିବା ଆଶା ନାହିଁ ।ପାଣିପାଗ ବିଭାଗ ଏହା ସତର୍କ କରାଇ ଦେଇଛି ।
ସୋମବାର ରାତିରେ ଭଦ୍ରକ, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କେନ୍ଦୁଝରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି ।
ବୁଧବାର(୧୪ ତାରିଖ) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଗରମ ଓ ଗୁଳୁଗୁଳି ହେବ । ୧୫ ଓ ୧୬ ତାରିଖ ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି । ୧୫ରୁ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ।
ସୋମବାର ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ତାତି ୪୨.୯ ଡିଗ୍ରୀ ସେଲସିୟସ୍ ରହିଥିଲା । ହୀରାକୁଦରେ ୪୨.୪, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୪୨.୨, ବୌଦ୍ଧ ଓ ଟିଟିଲାଗଡ଼ରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ା ୪୧, ରାଉରକେଲା ଓ ସୋନପୁରରେ ୪୦.୬, ଭୁବନେଶ୍ୱରରେ ୪୦.୪, ଢେଙ୍କାନାଳରେ ୪୦.୩ ଓ କଟକରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
୧୩ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ୨୪ ଘଣ୍ଟାରେ ନିକୋବର ଦୀପର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କିଛି ସ୍ଥାନରେ ଭାରୀ ବର୍ଷା ହୋଇଛି । ଆଗକୁ ଏଠାରେ ବର୍ଷା ବଢ଼ିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରର କିଛି ଅଞ୍ଚଳ ସହିତ ଆଣ୍ଡାମାନ ଓ ନିକୋବର ଦୀପର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ପରବର୍ତ୍ତୀ ୪ରୁ ୫ ଦିନରେ ଦକ୍ଷିଣ ଆରବସାଗରର କିଛି ଅଞ୍ଚଳ ଓ ସମ୍ପୂର୍ଣ୍ଣ ଆଣ୍ଡାମାନ ସାଗରକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ସେ ଆକଳନ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment