ଘୋଷଣାରେ ସୀମିତ ଆଦର୍ଶ ଗ୍ରାମ ଯୋଜନା ବାହାଡା ବିନିଯୋଗ ନହୋଇ ୪୦ଲକ୍ଷ ଅନୁଦାନ ଅର୍ଥ ପଡି ରହିଛି
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ପଞ୍ଚାୟତ ସମିତି ସଭା ଗୃହରେ ମଙ୍ଗଳବାର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଜନ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ବାହାଡ଼ା ର ତ୍ୱରିତ ବିକାଶ ନିମନ୍ତେ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ କି ବ୍ଳକ ଅଧୀନ ବନମାଳିପୁର ପଞ୍ଚାୟତ ଅନ୍ତର୍ଗତ ବାହାଡ଼ା ଗ୍ରାମକୁ କେନ୍ଦ୍ର ସରକାର ଆଦର୍ଶ ଗ୍ରାମ ଭାବରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ହେଉଛି ଭାରତ ସରକାରଙ୍କ ଏକ ପ୍ରୟାସ। ଗ୍ରାମର ପ୍ରାସଙ୍ଗିକ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ ମିଶାଇ ସମନ୍ୱିତ ବିକାଶ କରି ବଂଚିତ ବର୍ଗର ସଶକ୍ତିକରଣ ହେଉଛି ଏହାର ଲକ୍ଷ୍ୟ। ତେବେ ଗ୍ରାମରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ଵ ଅନୁସୂଚିତ ଜାତି ଜନସଂଖ୍ୟା ବିଶିଷ୍ଟ ଉକ୍ତ ଗ୍ରାମରେ ସମନ୍ୱିତ ବିକାଶ ପାଇଁ ଏହି ପ୍ରକଳ୍ପ ମାର୍ଚ୍ଚ ୨୦୧୦ରେ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ ଏହି ଯୋଜନାରେ ଗତବର୍ଷ ବାହାଡ଼ା ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଘୋଷଣା କରାଯାଇଛି। ଗ୍ରାମର ଡ୍ରେନେଜ ବ୍ୟବସ୍ଥା, ଆଲୋକୀକରଣ, ଶୁଦ୍ଧ ପାନୀୟଜଳ ଯୋଗାଣ, ଆବାସ ଗୃହ, ବିଦ୍ୟାଳୟ ଓ ଅଙ୍ଗନବାଡ଼ିର ମୌଳିକ ସୁବିଧା, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ର ପୁନରୁଦ୍ଧାର ସହିତ ଅନୁସୂଚିତ ଜାତି ଙ୍କ ନିମନ୍ତେ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ ବୋଲି ଏକ ବୈଠକରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଗ୍ରାମର ୱାର୍ଡସଭ୍ୟ ସୁମିତ୍ରା ବେହେରା, ସୁବାସିନୀ ଦଳେଇ, ସୀତା ଖଟୁଆଙ୍କ ସମେତ ବ୍ଳକର ଏପିଓ ଜୟନ୍ତୀ ମିଶ୍ର, ବିଏସଏସଓ ସୁନୀଲ କୁମାର ନିଶଙ୍କ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ବେହେରା, ପ୍ରତିଭା ମଞ୍ଜରୀ ବାରିକ, ପିଇଓ ବିରଞ୍ଚି ନାରାୟଣ ନାୟକ, ଜିଆରଏସ ପୁଷ୍ପାଳତା ମହାରଣା, ବିପିଏମ ରଂଜିତାରାଣୀ ପଟ୍ଟନାୟକ, ବାହାଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଯୁକ୍ତା ସେନାପତି, ଆଶାକର୍ମୀ ଗୌରୀ ଖଟୁଆ, ଅଙ୍ଗନବାଡ଼ି ଶିକ୍ଷୟିତ୍ରୀ ସ୍ବପ୍ନଳତା ମିଶ୍ରଙ୍କ ସମେତ ବାହାଡ଼ା ଗ୍ରାମବାସୀ ଉପସ୍ଥିତ ରହିଥିଲେ। ତେବେ ବୈଠକରେ ଆଲୋଚନା ମୁତାବକ ବ୍ଲକ ପ୍ରଶାସନ ପ୍ରଥମେ ଏକ କମିଟି ଗଠନ କରି ଆଦର୍ଶ ଗ୍ରାମର କାର୍ଯ୍ୟ ନିର୍ଧାରଣ ପାଇଁ ନିଷ୍ପତି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି କମିଟି ଗଠନ କରାଯାଇନାହିଁ। କେବଳ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମର ସ୍ଥିତି ଅନୁଧ୍ୟାନ କରାଯାଇଥିବା ଜଣାପଡିଛି। ତେବେ ଖୁବଶୀଘ୍ର ବ୍ଲକ ପ୍ରଶାସନ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଗଠନ କରି ଗ୍ରାମର ତ୍ଵରିତ ବିକାଶ ନିମନ୍ତେ ଗ୍ରାମବାସୀ ଦାବି ଜଣାଇଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment